ଶିମକଇଁଆ (ଈଂରାଜୀରେ Pithecellobium dulce, ଜୀବବିଜ୍ଞାନ ନାମ Pithecellobium dulce, ହିନ୍ଦୀରେ जंगल जलेबी) ପ୍ରଶାନ୍ତ ମହାସାଗର ଉପକୂଳସ୍ଥ ମେକ୍ସିକୋ, କେନ୍ଦ୍ରୀୟ ଆମେରିକା, ଉତ୍ତର ଦକ୍ଷିଣ ଆମେରିକା ଅଞ୍ଚଳରେ ଉତ୍ପନ୍ନ ହୋଇଥିବା ଏକ ସପୁଷ୍ପକ ବୃକ୍ଷ ଏବଂ ଏହା ମଟର ଜାତୀୟ “ଫବାସିଏ” (Fabaceae) ପରିବାରର ଅଂଶବିଶେଷ । [୨] ପ୍ରାଚୀନ ସମୟରେ ବଣିକମାନଙ୍କଦ୍ୱାରା ଏହାର ମଞ୍ଜି ଦୂର ଦୂରାନ୍ତକୁ ଯାଇ ବର୍ତ୍ତମାନ ସମୟରେ ଏହି ବୃକ୍ଷ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜ, ଫ୍ଲୋରିଡ଼ା, ଗୁଆମ୍, ଭାରତ, ବଙ୍ଗଳାଦେଶ, ଥାଇଲ୍ୟାଣ୍ଡ, ଫିଲିପାଇନ୍ସ୍ ଇତ୍ୟାଦି ସ୍ଥାନରେ ମଧ୍ୟ ବ୍ୟାପ୍ତ । ହାୱାଇରେ ଏହାକୁ ଏକ ଅନୁପ୍ରବେଶକାରୀ (ଯେଉଁ ପ୍ରଜାତି ସ୍ଥାନୀୟ ନୁହଁନ୍ତି ଓ ବର୍ତ୍ତମାନ ଏମାନେ ବ୍ୟାପ୍ତ ହେବା ଫଳରେ ସ୍ଥାନୀୟ ପ୍ରଜାପତିଙ୍କ ବିକାଶରେ ସମସ୍ୟା ଦେଖାଯାଉଛି) ପ୍ରଜାତିର ଉଦ୍ଭିଦ ଶ୍ରେଣୀରେ ଗଣନା କରାଯାଏ ।
ଶିମକଇଁଆ ଗଛ ବଢ଼ି ପ୍ରାୟ ୧୦ରୁ ୧୫ ମିଟର୍ (୩୩ରୁ ୪୯ ଫୁଟ୍) ପର୍ଯ୍ୟନ୍ତ ଉଚ୍ଚା ହୁଏ ।
ପକ୍ଷୀମାନେ ଶିମକଇଁଆ ଫଳ ଖାଆନ୍ତି ଓ ମଞ୍ଜିକୁ ଏଠାରେ ସେଠାରେ ପକାଇ ଦିଅନ୍ତି । ଏହି ବୃକ୍ଷ ଶୁଷ୍କରୁ ଶୁଷ୍କତର ପରିବେଶରେ ଏବଂ ସମୁଦ୍ର ପତନରୁ ୧୫୦୦ ମିଟର୍ ଉଚ୍ଚତାରେ ମଧ୍ୟ ବଞ୍ଚି ରହିପାରନ୍ତି । ମରୁଡ଼ି ପରି ପରିସ୍ଥିତିରେ ମଧ୍ୟ ଏହି ବୃକ୍ଷ ଜୀବିତ ରୁହେ । ସହରମାନଙ୍କରେ ଏହି ବୃକ୍ଷକୁ ସଡ଼କ ପାର୍ଶ୍ୱରେ ମଧ୍ୟ ରୋପଣ କରାଯାଇପାରିବ ।
ପୃଥିବୀସାରା ଶିମକଇଁଆର ଅନେକ ସ୍ଥାନୀୟ ନାମ ରହିଛି । ବଡ଼ ସିରିଷ, ଶିମକଇଁଆ ଓ ଅନ୍ୟ କିଛି ଗଛ ପାଇଁ ଈଂରାଜୀ ନାମ Monkeypod name[୩] ମଧ୍ୟ ବ୍ୟବହୃତ ହୋଇଥାଏ । ଅନ୍ୟ କିଛି ନାମ ହେଲା ବ୍ଲାକ୍ ବିଡ୍ (blackbead) ଓ ସ୍ୱିଟ୍ ଇଙ୍ଗା (sweet Inga) ।[୨]
ଭାରତର କିଛି ସ୍ଥାନରେ ଏହାକୁ “ମାନ୍ଦ୍ରାଜ୍ କଣ୍ଟା“ (Madras thorn) ବୋଲି ମଧ୍ୟ କୁହାଯାଏ । ଏହାର ଆଉ ଏକ ନାମ ମାନିଲା ତେନ୍ତୁଳି (Manila tamarind) ମଧ୍ୟ ପ୍ରସିଦ୍ଧ । ତେବେ ଏହି ସବୁ ନାମ ଭ୍ରମ ସୃଷ୍ଟି କରନ୍ତି । ଏହି ଫଳ ସହିତ ମାନ୍ଦ୍ରାଜ କିମ୍ବା ମାନିଲାର ବିଶେଷ ସମ୍ପର୍କ ନାହିଁ । ସାମୁଦ୍ରିକ ବାଣିଜ୍ୟରେ ନିର୍ଦ୍ଦିଷ୍ଟ ସ୍ଥାନର ବଣିକଗୋଷ୍ଠୀ ଏହାକୁ ଫିଲିପାଇନ୍ସ୍ର ମାନିଲାରୁ ଆମଦାନୀ କରୁଥିଲେ ଏପରି ନାମର ସୃଷ୍ଟି ହୋଇଥାଇପାରେ (ସେହିପରି ଆଉ ଏକ ପରିବା ହେଉଛି ଲଙ୍କା ମରିଚ । ଓଡ଼ିଆ ଓ ବଙ୍ଗଳା ବଣିକମାନେ ଶ୍ରୀଲଙ୍କାରୁ ମରିଚର ଆମଦାନୀ କରୁଥିବାରୁ ଏହା କ୍ରମେ ଲଙ୍କା ମରିଚ ବା ଲଙ୍କା ନାମରେ ଜଣାଶୁଣା ହେଲା)। ଏହି ଫଳଟି ତେନ୍ତୁଳି ତୁଳନାରେ ଶିମ୍ବ ବା ମଟର ପ୍ରଜାତିର ନିକଟତମ ସମ୍ପର୍କୀୟ । କିନ୍ତୁ ତେନ୍ତୁଳି ପରି ଦେଖାଯାଉଥିବାରୁ ଅଧିକାଂଶ ଭାଷାରେ ଏହାର ଏପରି ନାମ ରହିଛି ।
କୁୱେତ୍ରେ ମଧ୍ୟ ଶିମକଇଁଆର ଭାରତୀୟ ନାମ ପ୍ରଚଳିତ । ଆରବୀୟ ଭାଷାରେ ଶିମକଇଁଆକୁ “ଶୋକତ୍ ମାଡ୍ରାସ୍” କୁହନ୍ତି । ଶୋକତ୍ ଶବ୍ଦର ଅର୍ଥ ହେଲା କଣ୍ଟା । ତେଣୁ ମାନ୍ଦ୍ରାଜ କଣ୍ଟା ନାମ ଆରବୀୟ ଭାଷାରେ ମଧ୍ୟ ପ୍ରଚଳିତ । ୧୯୬୦ କିମ୍ବା ୧୯୭୦ ଦଶନ୍ଧିରେ ଭାରତୀୟମାନେ କୁୱେତ୍ର ଲୋକଙ୍କୁ ଶିମକଇଁଆ ସହିତ ପରିଚିତ କରାଇଥିବା ସମ୍ଭବପର । କୁୱେତ୍ ସହରରେ ୧୯୬୦ରୁ ୧୯୮୦ ଦଶନ୍ଧି ପର୍ଯ୍ୟନ୍ତ ରହିଥିବା ଉଦ୍ୟାନମାନଙ୍କରେ ଶିମକଇଁଆ ଗଛମାନ ରହିଥିଲା । କୁୱେତ୍ରେ ଏହାର ବେଶି ବ୍ୟାବସାୟିକ ବ୍ୟବହାର ହେଉନଥିଲା ଓ ଆଗକାଳର ମାଳିମାନେ ଏହି ବୃକ୍ଷ ସହିତ ବେଶ୍ ପରିଚିତ ଥିଲେ ।
ଶିମକଇଁଆର ଫଳ ମିଠା ଖଟା ମିଶା ମିଶା । ମେକ୍ସିକୋରେ ଲୋକେ ଏହି ଫଳକୁ କଞ୍ଚାରେ ବା ମାଂସ ବ୍ୟଞ୍ଜନ ସହିତ ପାର୍ଶ୍ୱ ବ୍ୟଞ୍ଜନ ଭାବେ ବା ପାଣି, ଚିନି ଇତ୍ୟାଦି ସହ ମିଶାଇ ପ୍ରସ୍ତୁତ ପାନୀୟ ('agua de guamúchil') ଆକାରରେ ଗ୍ରହଣ କରିଥାନ୍ତି । ତେନ୍ତୁଳି ପରି ଏହାର ମଞ୍ଜିକୁ ମଧ୍ୟ ଲୋକେ ଖାଆନ୍ତି । ଶିମକଇଁଆ ମଞ୍ଜିରୁ ତେଲ ମଧ୍ୟ ପେଡ଼ି ବାହାର କରାଯାଏ ଯାହାକି ମଞ୍ଜି ଓଜନର ଶତକଡ଼ା ୧୦% ପର୍ଯ୍ୟନ୍ତ ହୋଇଥାଏ । ମଞ୍ଜିରୁ ୨୮% ପୁଷ୍ଟିସାର ମଧ୍ୟ ମିଳିଥାଏ ।[୫]
ଶିମକଇଁଆ (ଈଂରାଜୀରେ Pithecellobium dulce, ଜୀବବିଜ୍ଞାନ ନାମ Pithecellobium dulce, ହିନ୍ଦୀରେ जंगल जलेबी) ପ୍ରଶାନ୍ତ ମହାସାଗର ଉପକୂଳସ୍ଥ ମେକ୍ସିକୋ, କେନ୍ଦ୍ରୀୟ ଆମେରିକା, ଉତ୍ତର ଦକ୍ଷିଣ ଆମେରିକା ଅଞ୍ଚଳରେ ଉତ୍ପନ୍ନ ହୋଇଥିବା ଏକ ସପୁଷ୍ପକ ବୃକ୍ଷ ଏବଂ ଏହା ମଟର ଜାତୀୟ “ଫବାସିଏ” (Fabaceae) ପରିବାରର ଅଂଶବିଶେଷ । ପ୍ରାଚୀନ ସମୟରେ ବଣିକମାନଙ୍କଦ୍ୱାରା ଏହାର ମଞ୍ଜି ଦୂର ଦୂରାନ୍ତକୁ ଯାଇ ବର୍ତ୍ତମାନ ସମୟରେ ଏହି ବୃକ୍ଷ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜ, ଫ୍ଲୋରିଡ଼ା, ଗୁଆମ୍, ଭାରତ, ବଙ୍ଗଳାଦେଶ, ଥାଇଲ୍ୟାଣ୍ଡ, ଫିଲିପାଇନ୍ସ୍ ଇତ୍ୟାଦି ସ୍ଥାନରେ ମଧ୍ୟ ବ୍ୟାପ୍ତ । ହାୱାଇରେ ଏହାକୁ ଏକ ଅନୁପ୍ରବେଶକାରୀ (ଯେଉଁ ପ୍ରଜାତି ସ୍ଥାନୀୟ ନୁହଁନ୍ତି ଓ ବର୍ତ୍ତମାନ ଏମାନେ ବ୍ୟାପ୍ତ ହେବା ଫଳରେ ସ୍ଥାନୀୟ ପ୍ରଜାପତିଙ୍କ ବିକାଶରେ ସମସ୍ୟା ଦେଖାଯାଉଛି) ପ୍ରଜାତିର ଉଦ୍ଭିଦ ଶ୍ରେଣୀରେ ଗଣନା କରାଯାଏ ।