ହନୁ ମାଙ୍କଡ଼ ବା ହନୁମାନ ଲଂଗୁର୍ ଭାରତୀୟ ଉପମହାଦ୍ୱୀପରେ ସର୍ବବ୍ୟାପ୍ତ ବାନର ପ୍ରଜାତି ଓ ଆଦି ବାନରମାନଙ୍କ ମଧ୍ୟରୁ ଅନ୍ୟତମ । ଏମାନଙ୍କ ପ୍ରଜାତିର ଜୀବବିଜ୍ଞାନ ନାମ ହେଲା Semnopithecus, ଯାହା ଗ୍ରୀକ୍ ଶବ୍ଦ σεμνός (semnós ଅର୍ଥାତ୍ -ପବିତ୍ର) ଓ πίθηκος (píthēkos ଅର୍ଥାତ୍ - ବାନର)ର ସମ୍ମିଶ୍ରଣରୁ ସୃଷ୍ଟ । ଏମାନଙ୍କ ସମସ୍ତ ପ୍ରଜାତି Semnopithecus entellus ମୁଖ୍ୟ ପ୍ରଜାତିର ଅଂଶ ଭାବେ ପରିଗଣିତ ହୁଅନ୍ତି । [୧] ୨୦୦୧ ମସିହାରେ ପୂର୍ବରୁ ଆବିଷ୍କୃତ କିଛି ଭିନ୍ନ ଭିନ୍ନ ଉପ-ପ୍ରଜାତିଙ୍କୁ ପ୍ରଜାତି ଭାବେ ଗଣନା କରାଯିବାରୁ ୭ଟି ଭିନ୍ନ ପ୍ରଜାତିର ସୃଷ୍ଟି ହେଲା । [୨] ଅଳ୍ପ ଉପ-ପ୍ରଜାତି ବିଶିଷ୍ଟ ଆଉ ଏକ ପ୍ରସ୍ତାବିତ ଶ୍ରେଣୀ ବିଭାଗ ମଧ୍ୟ ରହିଛି । [୩] Trachypithecus ପ୍ରଜାତିର ଉପ-ପ୍ରଜାତି ଭାବେ ପରିଗଣିତ ନୀଳଗିରି ହନୁ ମାଙ୍କଡ଼ ଓ ବାଇଗଣୀମୁହାଁ ହନୁ ମାଙ୍କଡ଼ ପ୍ରକୃତରେ Semnopithecus' ପ୍ରଜାତିର ବୋଲି ଜେନେଟିକ୍ ପ୍ରମାଣ ମିଳିଛି ।[୪]
ହନୁ ମାଙ୍କଡ଼ମାନେ ପ୍ରାୟତଃ ପାଉଁଶିଆ ବା ଧୁସରିଆ ରଙ୍ଗର । ଖାଦ୍ୟ ପାଇଁ ହନୁ ମାଙ୍କଡ଼ ଦଳ ଏକ ନିର୍ଦ୍ଦିଷ୍ଟ ଇଲାକାର ନିୟନ୍ତ୍ରଣ କରନ୍ତି । ଭାରତୀୟ ଉପମହାଦ୍ୱୀପରେ ଏମାନେ ଘଞ୍ଚ ଜଙ୍ଗଲ, ପତଳା ଜଙ୍ଗଲ; ଏପରିକି ସହର ଆଖାପାଖି ଅଞ୍ଚଳରେ ମଧ୍ୟ ବସବାସ କରନ୍ତି । ଅଧିକାଂଶ ସ୍ଥାନରେ ହନୁ ମାଙ୍କଡ଼ମାନେ ସମୁଦ୍ର ପତନରୁ ନିମ୍ନ-ମଧ୍ୟମ ଉଚ୍ଚତାରେ ରହୁଥିବା ବେଳେ, ହିମାଳୟ ଅଞ୍ଚଳରେ ନେପାଳୀ ହନୁ ମାଙ୍କଡ଼ ଓ କାଶ୍ମୀରୀ ହନୁ ମାଙ୍କଡ଼ ପ୍ରାୟ ୪୦୦୦ ମିଟର୍ (୧୩୦୦୦ ଫୁଟ୍) ଉଚ୍ଚତା ପର୍ଯ୍ୟନ୍ତ ଦେଖାଯାନ୍ତି । [୫][୬]
ପାରମ୍ପରିକ ଭାବେ କେବଳ Semnopithecus entellusକୁ ଏକ ପ୍ରଜାତି ରୂପେ ଓ ଅନ୍ୟ ସବୁ ଶ୍ରେଣୀଙ୍କୁ ଉପ-ପ୍ରଜାତି ଭାବେ ଅଭିହିତ କରାଯାଉଥିଲା । ୨୦୦୧ ମସିହାରୁ ୭ଟି ଭିନ୍ନ ପ୍ରକାରର ହନୁ ମାଙ୍କଡ଼ଙ୍କୁ ସ୍ୱତନ୍ତ୍ର ପ୍ରଜାତିର ମାନ୍ୟତା ମିଳିଲା । [୨] ୨୦୦୫ ମସିହାରେ ପ୍ରକାଶିତ ଈଂରାଜୀ ପୁସ୍ତକ Mammal Species of the World (ଅର୍ଥାତ୍ ବିଶ୍ୱର ସ୍ତନ୍ୟପାୟୀ ପ୍ରଜାତିଗଣ)ରେ ଏହି ଶ୍ରେଣୀ ବିଭାଗ ଅନୁସୃତ ହୋଇଥିଲା [୧] କିନ୍ତୁ ପ୍ରଜାତିଙ୍କୁ ଭୌଗୋଳିକ ଦୃଷ୍ଟିକୋଣରୁ ମୁଖ୍ୟତଃ ଉତ୍ତର ଓ ଦକ୍ଷିଣ ଶ୍ରେଣୀରେ ବିଭକ୍ତ କଲା ପରେ ସାତୋଟି ଉପ-ଶ୍ରେଣୀଭାବେ ପ୍ରଦର୍ଶିତ କରାଯାଇଛି । [୩] ଜେନେଟିକ୍ ଗବେଷଣାରୁ ଉତ୍ତର ଭାରତରେ ୩ଟି ପ୍ରଜାତି, ଦକ୍ଷିଣ ଭାରତର ଗୋଟିଏ ପ୍ରଜାତି ଓ ଶ୍ରୀଲଙ୍କାର ଗୋଟିଏ ପ୍ରଜାତି ସମସ୍ତେ ସ୍ୱତନ୍ତ୍ର ବୋଲି ପ୍ରମାଣିତ ହୋଇଛି । [୪][୭]
କେଶରଯୁକ୍ତ ହନୁ ମାଙ୍କଡ଼ (ବା Semnopithecus priam thersites) ଏକ ଉପ-ପ୍ରଜାତି ନୁହେଁ ବରଂ ସ୍ୱତନ୍ତ୍ର ପ୍ରଜାତି ବୋଲି ପ୍ରସ୍ତାବ ଦିଆ ଯାଇଛି କିନ୍ତୁ ଏହାର କୌଣସି ଦୃଢ଼ ପ୍ରମାଣ ମିଳି ପାରିନାହିଁ । [୮] ବାହ୍ୟ ଆକୃତି ବିଜ୍ଞାନ ଓ ଭାରତୀୟ ଉପମହାଦ୍ୱୀପର ପରିସ୍ଥିତିକ ମଡେଲ୍ ଭିତ୍ତିରେ ହନୁ ମାଙ୍କଡ଼ମାନେ ସ୍ୱତନ୍ତ୍ର ପ୍ରକାର ୬ଟି ଉପ-ପ୍ରଜାତିର ହୋଇପାରନ୍ତି ବୋଲି କୁହାଯାଇଛି । ପାରିବେଶିକ ନମନୀୟତା କାରଣରୁ ଲୋମର ରଙ୍ଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଥିବାରୁ ଏହାକୁ ଭିତ୍ତି କରି ପ୍ରଜାତିଙ୍କ ଶ୍ରେଣୀ ବିଭାଗ କରିବା ତ୍ରୁଟିପୂର୍ଣ୍ଣ ହୋଇପାରେ । [୯] [୧୦]
Trachypithecusକୁ Semnopithecusର ଉପ-ଶ୍ରେଣୀ ରୂପେ ପରିଗଣିତ କରାଯିବା ଉଚିତ୍ ବୋଲି କେହି କେହି ପ୍ରସ୍ତାବ ରଖିଛନ୍ତି । [୩] ବାଇଗଣୀମୁହାଁ ହନୁ ମାଙ୍କଡ଼ ଓ ନୀଳଗିରି ହନୁ ମାଙ୍କଡ଼ଙ୍କ ପୂର୍ବପୁରୁଷ ଭିନ୍ନ ବୋଲି ବିବେଚନା କଲେ ସେମାନଙ୍କୁ Trachypithecus ପରିବର୍ତ୍ତେ Semnopithecus ଶ୍ରେଣୀଭୁକ୍ତ କରିବା ଠିକ୍ ହେବ । ବର୍ତ୍ତମାନ ସମୟରେ ଟୋପିବାଲା ହନୁ ମାଙ୍କଡ଼, ସର୍ଟ୍ରିଜ୍ଙ୍କ ହନୁ ମାଙ୍କଡ଼ ଓ ଜିସ୍ ସୁନେଲି ହନୁ ମାଙ୍କଡ଼ଙ୍କୁ ନେଇ ଗଠିତ T. pileatus ଶ୍ରେଣୀ mtDNAର ତଥ୍ୟାନୁସାରେ Semnopithecus ଶ୍ରେଣୀର ଓ Y chromosomeର ତଥ୍ୟାନୁସାରେ Trachypithecus ଶ୍ରେଣୀର ବୋଲି ନିରୂପିତ ହୋଇଥିବାରୁ ବିବାଦ ସୃଷ୍ଟି ହୋଇଛି । [୪]
Mammal Species of the World ପୁସ୍ତକର ଲେଖକମାନେ Semnopithecus ଶ୍ରେଣୀର ନିମ୍ନ ୭ଟି ପ୍ରଜାତି ନିରୂପିତ କରିଛନ୍ତି। [୧] ଶ୍ରୀଲଙ୍କାର ଗୋଟିଏ ପ୍ରକାରର ହନୁ ମାଙ୍କଡ଼କୁ Trachypithecus ଶ୍ରେଣୀରୁ Semnopithecusକୁ ସ୍ଥାନାନ୍ତରିତ ହୋଇଥିବାରୁ ବର୍ତ୍ତମାନ ୮ଟି ପ୍ରଜାତି ଚିହ୍ନଟ ହୋଇଛି ।
ଉତ୍ତରରେ ହିମାଳୟରୁ ଆରମ୍ଭ କରି ଦକ୍ଷିଣରେ ଶ୍ରୀଲଙ୍କା ଯାଏଁ ଓ ପୂର୍ବରେ ବଙ୍ଗଳାଦେଶରୁ ଆରମ୍ଭ କରି ପଶ୍ଚିମରେ ପାକିସ୍ତାନ ପର୍ଯ୍ୟନ୍ତ ହନୁ ମାଙ୍କଡ଼ମାନେ ବ୍ୟାପ୍ତ । [୧୧] ସେମାନେ ଆଫଗାନିସ୍ତାନରେ ରହିଥିବାର ସମ୍ଭାବନା ମଧ୍ୟ ରହିଛି । [୩] ସମୁଦାୟ ହନୁ ମାଙ୍କଡ଼ମାନଙ୍କ ସଂଖ୍ୟାର ଏକ ସିଂହ ଭାଗ ଭାରତରେ ଦେଖିବାକୁ ମିଳେ ଓ ଭାରତରେ ଏମାନଙ୍କ ସାତୋଟି ଯାକ ଉପ-ପ୍ରଜାତି ଊଣା-ଅଧିକେ ବସବାସ କରନ୍ତି । [୨]
ହନୁ ମାଙ୍କଡ଼ମନେ ଭିନ୍ନ ଭିନ୍ନ ପାରିବେଶିକ ଅବସ୍ଥା ଓ ଅଧିବାସରେ ଖାପ ଖୁଆଇ ଚଳିବା ଦେଖାଯାଇଛି । [୧୨] ସେମାନେ ମରୁଭୂମି ପରି ଶୁଷ୍କ, କ୍ରାନ୍ତୀୟ ବୃଷ୍ଟିବଣ, ପର୍ଣ୍ଣମୋଚୀ ଅରଣ୍ୟ; ଏପରିକି ପାର୍ବତ୍ୟାଞ୍ଚଳରେ ମଧ୍ୟ ଦୃଶ୍ୟମାନ ହୁଅନ୍ତି । ସମୁଦ୍ର ପତନରୁ ୪୦୦୦ ମିଟର୍ (୧୩୦୦୦ ଫୁଟ୍) ଉଚ୍ଚ ସ୍ଥାନରେ ମଧ୍ୟ ସେମାନେ ଦେଖାଯାନ୍ତି । [୫][୬] ଗାଁ, ସହର ପରି ଜନବସତି ପୂର୍ଣ୍ଣ ଅଞ୍ଚଳରେ ଓ ଚାଷବାସ ହେଉଥିବା ସ୍ଥାନରେ ମଧ୍ୟ ଏମାନେ ଆରାମରେ ଜୀବନଯାପନ କରି ପାରନ୍ତି । [୧୩] ଯୋଧପୁର ପରି ଲୋକାକୀର୍ଣ୍ଣ ନଗରରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ହନୁ ମାଙ୍କଡ଼ ବସବାସ କରନ୍ତି । [୧୪]
ହନୁ ମାଙ୍କଡ଼ମାନଙ୍କ ଲୋମ ପ୍ରାୟତଃ ଧୁସରିଆ ରଙ୍ଗର (କେତେକ କ୍ଷେତ୍ରରେ ଈଷତ୍ ହଳଦିଆ ରଙ୍ଗର), ମୁହଁ ଓ କାନ କଳା ରଙ୍ଗର ହୋଇଥାଏ । ହାତ-ପାଦର ରଙ୍ଗ, ଦେହର ରଙ୍ଗ, କେଶର ଓ ବାଳ ଭିତ୍ତିରେ ହନୁ ମାଙ୍କଡ଼ର ଉପ-ପ୍ରଜାତିମାନଙ୍କୁ ଚିହ୍ନଟ କରାଯାଇଥାଏ । [୨][୩] ପ୍ରାୟତଃ ଉତ୍ତର ଭାରତର ସମସ୍ତ ହନୁ ମାଙ୍କଡ଼ ଚାଲିବା ବେଳେ ତାଙ୍କ ଲାଙ୍ଗୁଡ଼ ମୁଣ୍ଡ ଆଡ଼କୁ ବୁଲି ପଡ଼େ । ଅପର ପକ୍ଷେ ଦକ୍ଷିଣ ଭାରତ ବା ଶ୍ରୀଲଙ୍କାର ହନୁ ମାଙ୍କଡ଼ମାନଙ୍କ ଲାଙ୍ଗୁଡ଼ ଈଂରାଜୀ ଅକ୍ଷର “S” ବା ଓଲଟା “U” ପରି ହୋଇଥାଏ । [୧୫] ଶାରୀରିକ ଗଠନ ଦୃଷ୍ଟିରୁ ଅଣ୍ଡିରା ମାଙ୍କଡ଼ମାନେ ମାଈ ମାଙ୍କଡ଼ମାନଙ୍କଠାରୁ ବଡ଼ ଆକାରର । ମୁଣ୍ଡକୁ ମିଶାଇ ଦେହର ଲମ୍ବ ୫୧-୭୯ ସେ.ମି. (୨୦-୩୧ ଇଞ୍ଚ୍) ଏବଂ ଲମ୍ବା ଲାଞ୍ଜକୁ ମିଶାଇ ପ୍ରାୟ ୬୯-୧୦୨ ସେ.ମି. (୨୭-୪୦ ଇଞ୍ଚ୍) । [୧୬] ଦକ୍ଷିଣ ଭାରତର ହନୁ ମାଙ୍କଡ଼ମାନେ ଉତ୍ତର ଭାରତର ହନୁ ମାଙ୍କଡ଼ମାନଙ୍କଠାରୁ ଆକାରରେ ସାମାନ୍ୟ ଛୋଟ । ଏକ ନେପାଳୀ ହନୁ ମାଙ୍କଡ଼ ବର୍ତ୍ତମାନ ସୁଦ୍ଧା ପରିଲକ୍ଷିତ ସବୁଠାରୁ ଅଧିକ ଓଜନିଆ ହନୁ ମାଙ୍କଡ଼ ଥିଲା ଓ ଏହାର ଓଜନ ପ୍ରାୟ ୨୬.୫ କି.ଗ୍ରା. (୫୮ ପାଉଣ୍ଡ୍) ଥିଲା । [୩] ବଡ଼ ଆକାରର ହନୁ ମାଙ୍କଡ଼ ଏସିଆରେ ଦେଖା ଯାଉଥିବା ଅନ୍ୟ ପ୍ରଜାତିର ବଡ଼ ମାଙ୍କଡ଼ମାନଙ୍କ ପ୍ରତିଦ୍ୱନ୍ଦୀ ରୂପେ ଉଭା ହୋଇଛନ୍ତି । ଏକ ଅଣ୍ଡିରା ହନୁ ମାଙ୍କଡ଼ର ହାରାହାରି ଓଜନ ୧୮ କି.ଗ୍ରା. (୪୦ ପାଉଣ୍ଡ) ଓ ମାଈ ହନୁ ମାଙ୍କଡ଼ର ହାରାହାରି ଓଜନ ୧୧ କି.ଗ୍ରା. (୨୪ ପାଉଣ୍ଡ) ହୋଇଥାଏ । [୧୬]
ନିଜର ଦୁଇ ହାତ ଓ ଦୁଇ ଗୋଡ଼ର ବ୍ୟବହାର କରି ହନୁ ମାଙ୍କଡ଼ମାନେ ଚାଲନ୍ତି । ଏମାନଙ୍କ ଗୋଟିଏ ଦିନର ଅଧା ସମୟ ଗଛ ଉପରେ ଓ ଅଧା ସମୟ ଭୂମିରେ ଅତିବାହିତ ହୋଇଥାଏ । ସେମାନେ ଦୁଇ ଗୋଡ଼ରେ ଡେଇଁ ପାରନ୍ତି ଓ ସିଧା ଶରୀରରେ ଗଛ ଚଢ଼ି ଓ ଓହ୍ଲାଇ ପାରନ୍ତି । ହନୁ ମାଙ୍କଡ଼ମାନେ ଭୂମି ସହ ସମାନ୍ତରାଳ ଭାବେ ପ୍ରାୟ ୩.୭-୪.୬ ମିଟର୍ (୧୨-୧୫ ଫୁଟ୍) ଓ ଉଚ୍ଚ ସ୍ଥାନରୁ ଓହ୍ଲାଇବା ବେଳେ ୧୦.୭-୧୨.୨ ମିଟର୍ (୩୫-୪୦ ଫୁଟ୍) ଲମ୍ବା ଲମ୍ଫ ପ୍ରଦାନ କରିପାରନ୍ତି । [୧୭]
ହନୁ ମାଙ୍କଡ଼ମାନେ ଦିବାଚର । ରାତିରେ ଏମାନେ ଗଛ ଉପରେ, ଉଚ୍ଚ ଅଟ୍ଟାଳିକାର ଛାତ ଉପରେ, ଖୁଣ୍ଟରେ, ଦୁର୍ଗ ବା ମୀନାର ଉପରେ ଶୋଇଥାନ୍ତି । [୧୮] ଏମାନେ ଗଛର ସବୁଠାରୁ ଉଚ୍ଚ ଡାଳରେ ଶୋଇବା ପସନ୍ଦ କରନ୍ତି । [୧୯]
ବଣରେ ହରିଣ ଓ ଗୋଜାତୀୟ ବନ୍ୟପ୍ରାଣୀମାନେ ହନୁ ମାଙ୍କଡ଼ ଗଛ ଉପରୁ ପକାଇ ଦେଉଥିବା ଖାଦ୍ୟ ମଧ୍ୟ ଖାଇଥାନ୍ତି ।[୨୦] ବଣରେ ମହାବଳ ବାଘ, କଲରାପତରିଆ ବାଘ, ବଳିଆ କୁକୁର ହନୁ ମାଙ୍କଡ଼କୁ ନିଜ ଖାଦ୍ୟଭାବେ ଶିକାର କରିଥାନ୍ତି । [୨୧] ତେଣୁ ବଣରେ ହନୁ ମାଙ୍କଡ଼ମାନେ ଖୁବ୍ ସତର୍କତାର ସହିତ ଚଳନ୍ତି । ସବୁ ହନୁ ମାଙ୍କଡ଼ ଦଳରେ ପାଳି କରି ଜଣେ ଜଗୁଆଳୀର ଭୂମିକା ଗ୍ରହଣ କରେ । ଦଳର ସଦସ୍ୟମାନେ ଯେଉଁ ସ୍ଥାନରେ ଖାଦ୍ୟାହରଣ ବା ଖେଳକୁଦ କରୁଥାନ୍ତି, ପ୍ରହରୀ ହନୁ ମାଙ୍କଡ଼ଟି ସେହି ସ୍ଥାନର ସବୁଠାରୁ ଉଚ୍ଚ ଡାଳରେ ବସି ଜଙ୍ଗଲରେ ଚତୁର୍ଦିଗ ଉପରେ ଦୃଷ୍ଟି ରଖିଥାଏ । ଅତି ଉଚ୍ଚରୁ କୌଣସି ହିଂସ୍ର ଜନ୍ତୁ ବା ମନୁଷ୍ୟ ସେମାନଙ୍କ ଗଛ ଆଡ଼କୁ ଆସୁଥିଲେ ଭୁକିବା ପରି ବା ଖିଙ୍କାରି ଓ ହାତ ଗଛଡାଳରେ ବାଡେଇ ଦଳର ଅନ୍ୟ ସଦସ୍ୟମାନଙ୍କୁ ସତର୍କ କରିଦିଏ । ଜଙ୍ଗଲ ବିଶେଷଜ୍ଞମାନେ ଏହାକୁ “ଲଂଗୁରମାନଙ୍କ ସତର୍କ ସୂଚନା” କୁହନ୍ତି । ହରିଣ ଓ ଗୋଜାତୀୟ ଜୀବମାନେ ହନୁ ମାଙ୍କଡ଼ଙ୍କ ନିକଟରେ ନିରାପଦରେ ଚରି ବୁଲିବାର ଏହା ଏକ ଅନ୍ୟତମ କାରଣ । ଗଧିଆ, ବିଲୁଆ ଓ ଅଜଗର ପରି ସାପମାନେ ମଧ୍ୟ ହନୁ ମାଙ୍କଡ଼ମାନଙ୍କୁ ଶିକାର କରିବା ଦେଖାଯାଇଛି ।
ହନୁ ମାଙ୍କଡ଼ମାନେ ପ୍ରାୟତଃ ନିରାମିଶାଷୀ । ଏମାନେ ଫଳ, ଏପରିକି ପାଇନ୍ ଓ ଝାଉଁ ପରି ଶୁଙ୍କଯୁକ୍ତ ଗଛର ଫଳ, କଞ୍ଚା ଫଳ, ସାଗୁଆ ଡାଙ୍ଗ, ବାଉଁଶ, କରଡ଼ି, ଚେରମୂଳ, ମଞ୍ଜି, ଘାସ, କନ୍ଦ, ଶିଉଳି, ଫିମ୍ପି ଇତ୍ୟାଦି ଖାଦ୍ୟ ଭାବେ ଆହରଣ କରିବା ଦେଖାଯାଇଛି । ଏମାନଙ୍କ ପ୍ରଥମ ପସନ୍ଦ ଗଛର ପତ୍ର ଓ ତାହା ନଥିଲେ ଏମାନେ ଜଡ଼ିବୁଟି, ଘାସ ଖାଇବା ପସନ୍ଦ କରନ୍ତି । କେଉଁ କେଉଁ ସ୍ଥାନରେ ଏମାନେ ଊଈ, ସମ୍ବାଳୁଆ ଓ ବୁଢ଼ିଆଣୀ ଜାଲ ଖାଇବା ମଧ୍ୟ ଦେଖାଯାଇଛି । [୨୨] ଚାଷ ଜମିରୁ ଫସଲ ଓ ଅନ୍ୟାନ୍ୟ ମନୁଷ୍ୟୋପଯୋଗୀ ଖାଦ୍ୟ ଏମାନେ ଛଡ଼ାଇ ନେଇଯିବାର ନଜୀର ରହିଛି ଓ ମନୁଷ୍ୟ ହାତରୁ ଖାଦ୍ୟ ଖାଇବାର ଦୃଷ୍ଟାନ୍ତ ମଧ୍ୟ ରହିଛି । [୨୩] ହନୁ ମାଙ୍କଡ଼ମାନେ କ୍ୱଚିତ୍ ପାଣି ପିଅନ୍ତି; କାରଣ ତାଙ୍କ ଶରୀରର ଅଧିକାଂଶ ଜଳୀୟ ଅଂଶ ସେମାନେ ନିଜ ଖାଦ୍ୟରୁ ପାଇଯାନ୍ତି । [୨୪]
ହନୁ ମାଙ୍କଡ଼ମାନଙ୍କୁ ୩ ପ୍ରକାରର ଦଳରେ ବସବାସ କରିବା ଦେଖାଯାଇଛି:
ସବୁ-ଅଣ୍ଡିରା ଦଳର ସଦସ୍ୟ ସଂଖ୍ୟା କମ୍ ହୋଇପାରେ ଓ ଏଥିରେ ଭିନ୍ନ ବୟସର ଅଣ୍ଡିରା ମାଙ୍କଡ଼ ଥାଇପାରନ୍ତି । ମିଶ୍ରିତ ବହୁ-ଅଣ୍ଡିରା ଓ ଏକ–ଅଣ୍ଡିରା ଦଳ ଅଧିକାଂଶରେ ଦେଖିବାକୁ ମିଳେ ।[୨୫]
କେତେକ ଦୃଷ୍ଟାନ୍ତରୁ ଜାଣିବାକୁ ମିଳିଛି ଯେ ବଳ-ପୂର୍ବକ ଅନ୍ୟ ଦଳକୁ ଅକ୍ତିଆର କରିବା ସମୟରେ ସାମୟିକ ଭାବେ ବହୁ-ଅଣ୍ଡିରା ଦଳମାନ ଗଢ଼ି ଉଠେ କିନ୍ତୁ ସମୟ କ୍ରମେ ଏହା ବିଭାଜିତ ହୋଇ ଏକ-ଅଣ୍ଡିରା ଓ ସବୁ-ଅଣ୍ଡିରା ଦଳ ତିଆରି ହୁଏ ।[୨୭]
ସବୁ ପ୍ରକାରର ଦଳରେ ସାମାଜିକ ଅନୁକ୍ରମ ରହିଥାଏ । [୨୮][୨୯] ସବୁ-ଅଣ୍ଡିରା ଦଳରେ ସଂଘର୍ଷରେ ବିଜୟ ହାସଲ କରି ଦଳ ଉପରେ ପ୍ରଭୁତ୍ୱ ଓ ଏକାକୀ ମାଈ ମାଙ୍କଡ଼ ସହିତ ସଂଭୋଗର ଅଧିକାର ହାସଲ କରାଯାଏ । [୩୦] ଯଦି ଦଳରେ ଅନେକ ପ୍ରଜନନକ୍ଷମ ମାଈ ମାଙ୍କଡ଼ ଥାନ୍ତି, ତେବେ ମାଈ ମାଙ୍କଡ଼ମାନଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଓ ବୟସକୁ ଆଧାର କରି କ୍ରମ ନିର୍ଦ୍ଧାରିତ ହୋଇଥାଏ ।[୩୧][୩୨] ଯୁବାବସ୍ଥାରେ ରହିଥିବା ମାଈ ମାଙ୍କଡ଼ମାନେ ତାଙ୍କ ଦଳରେ ଉଚ୍ଚ କ୍ରମରେ ରହିଥାନ୍ତି । ଉଚ୍ଚ କ୍ରମର ମାଙ୍କଡ଼ମାନେ ନିଜ ପ୍ରଭୁତ୍ୱ ପ୍ରଦର୍ଶନ କରି ଦେଖାଇ ହେବା ଓ ଅନ୍ୟମାନଙ୍କୁ ବାରମ୍ବାର ସତର୍କତା ସୂଚନାପୂର୍ବକ ଜଣାଇବା ସବୁ ଦଳରେ ଏକ ଦୈନନ୍ଦିନ ଘଟଣା । [୨୯] ଦଳ ଅଧିକାର ବା ବଦଳି ହେଲେ ଅଣ୍ଡିରା ମାଙ୍କଡ଼ମାନଙ୍କ ଅନୁକ୍ରମରେ ସର୍ବାଧିକ ପରିବର୍ତ୍ତନ ଦେଖାଦିଏ । ନିର୍ଦ୍ଦିଷ୍ଟ ମାଙ୍କଡ଼ଟିଏ ୪୫ ଦିନ ପର୍ଯ୍ୟନ୍ତ ଏକ-ଅଣ୍ଡିରା ଦଳର ମୁଖିଆ ହୋଇ ରହିପାରେ । [୩୩] ଦଳର ଗଠନ ଅନୁସାରେ ଏହାର ମୁଖିଆ କେତେ ଶୀଘ୍ର ପରିବର୍ତ୍ତନ ହେବ ତାହା ନିର୍ଭର କରେ । [୩୪]
ଏକ ଦଳର ଏକାଧିକ ମାଈ ମାଙ୍କଡ଼ ଗୋଟିଏ ମା’ଠାରୁ ଜନ୍ମ ଗ୍ରହଣ କରିଥାଇ ପାରନ୍ତି ଓ ପରସ୍ପରର ଭଉଣୀ ପରି । ବଡ଼ ଦଳରେ ଏହାର ସମ୍ଭାବନା କମ୍ ।[୨୬][୩୧] ମାଈ ମାଙ୍କଡ଼ମାନଙ୍କ ମଧ୍ୟରେ ସାଧାରଣତଃ ସୌହାର୍ଦ୍ୟପୂର୍ଣ୍ଣ ସମ୍ପର୍କ ଦେଖିବାକୁ ମିଳେ । ସେମାନେ ପରସ୍ପର ସହିତ ଖାଦ୍ୟ ଅନ୍ୱେଷଣ, ଯାତ୍ରା ଓ ବିଶ୍ରାମ କରିଥାନ୍ତି । କ୍ରମ ନିର୍ବିଶେଷରେ ସେମାନେ ପରସ୍ପରର ଯତ୍ନ ନେଇଥାନ୍ତି । କିନ୍ତୁ ସର୍ବୋଚ୍ଚ-କ୍ରମର ମାଈମାନେ ବଳ-ପୂର୍ବକ ଅନ୍ୟ ମାଈ ମାଙ୍କଡ଼ମାନଙ୍କଠାରୁ ଯତ୍ନ ଓ ସେବା ଲାଭ କରିଥାନ୍ତି । [୩୫] ମାଈ ମାଙ୍କଡ଼ମାନେ ଅଣ୍ଡିରା ମାଙ୍କଡ଼ମାନଙ୍କ ଯତ୍ନ ଓ ସେବା କରୁଥିବା ବେଳେ ଏହାର ବିପରୀତ ଖୁବ୍ କମ୍ ଦେଖିବାକୁ ମିଳେ । [୩୬] ଅଣ୍ଡିରା ଓ ମାଈମାନଙ୍କ ସମ୍ପର୍କ ପ୍ରାୟତଃ ଭଲ ହିଁ ଥାଏ । ଦୁଇଟି ଅଣ୍ଡିରା ମାଙ୍କଡ଼ ମଧ୍ୟରେ ଥିବା ସମ୍ପର୍କ ଶାନ୍ତିପୂର୍ଣ୍ଣ ବା ପରସ୍ପରର ଘୋର ବିରୋଧୀ ମଧ୍ୟ ହୋଇପାରେ । ମାଈମାନେ ଗୋଟିଏ ଦଳରେ ରହିବା ପସନ୍ଦ କରୁଥିବା ବେଳେ ଅଣ୍ଡିରା ମାଙ୍କଡ଼ମାନେ ପୂର୍ଣ୍ଣ ବିକଶିତ ହେଲା ପରେ ଦଳ ଛାଡ଼ି ଚାଲିଯାଆନ୍ତି । [୨୬] ଦୁଇଟି ଅଜଣା ଦଳ ମଧ୍ୟରେ ସର୍ବଦା ପ୍ରତିଦ୍ୱନ୍ଦିତା ଓ ବିରୋଧାଭାସ ଦେଖିବାକୁ ମିଳେ । ଉଚ୍ଚ କ୍ରମର ଅଣ୍ଡିରାମାନେ ଅନ୍ୟ ଦଳକୁ ଶବ୍ଦ, ଭାବଭଙ୍ଗୀର ପ୍ରଦର୍ଶନ କରି ଓ ପରସ୍ପର ମଧ୍ୟରେ ଲଢ଼େଇ କରି ଡରାଇବାକୁ ଚେଷ୍ଟା କରନ୍ତି ।
ଏକ-ଅଣ୍ଡିରା ଦଳରେ ଅଣ୍ଡିରା ମୁଖିଆ ମାଙ୍କଡ଼ ଦଳର ସବୁ ମାଈଙ୍କ ସହିତ ପ୍ରଜନନ ପ୍ରକ୍ରିୟାରେ ଲିପ୍ତ ଥାଏ । ବହୁ-ଅଣ୍ଡିରା ଦଳରେ ଉଚ୍ଚ-କ୍ରମର ଅଣ୍ଡିରା ମାଙ୍କଡ଼ମାନେ ମୁଖ୍ୟତଃ ଶିଶୁମାନଙ୍କ ପିତା ହୋଇଥାନ୍ତି , ତା’ପରେ ନିମ୍ନ ପଦସ୍ଥ ଅଣ୍ଡିରାମାନଙ୍କୁ ସୁଯୋଗ ମିଳେ ଓ ସମୟେ ସମୟେ ବାହାର ଦଳର ଅଣ୍ଡିରାମାନେ ମଧ୍ୟ ପ୍ରଜନନ ପ୍ରକ୍ରିୟାରେ ଯୋଗଦାନ କରନ୍ତି । [୩୭] ଉଚ୍ଚ-କ୍ରମର ମାଈ ମାଙ୍କଡ଼ମାନେ ଦଳର ନିମ୍ନ-କ୍ରମର ମାଈମାନଙ୍କ ତୁଳନାରେ ଅଧିକ ପ୍ରଜନନକ୍ଷମ । [୩୨]
ମାଈ ମାଙ୍କଡ଼ମାନେ ପ୍ରଜନନଶୀଳ ହେବାର ପ୍ରଦର୍ଶନ ନ କଲେ ମଧ୍ୟ ଅଣ୍ଡିରା ମାଙ୍କଡ଼ମାନେ କେଉଁ କେଉଁ ମାଈ ମାଙ୍କଡ଼ ପ୍ରଜନନୋପଯୋଗୀ ତାହା ଜାଣି ପାରନ୍ତି ।[୩୮] ମାଈ ମାଙ୍କଡ଼ମାନେ ମୁଣ୍ଡ ହଲାଇ, ଲାଞ୍ଜ ତଳକୁ କରି ବା ନିଜର ପଶ୍ଚାତ୍ ଭାଗ ଦେଖାଇ ଅଣ୍ଡିରା ମାଙ୍କଡ଼କୁ ପ୍ରେମ କରିବାର ସହମତି ପ୍ରଦାନ କରନ୍ତି । [୩୯] ଅବଶ୍ୟ ଏପରି ଭାବଭଙ୍ଗୀ ସର୍ବଦା ରତିକ୍ରୀଡ଼ାରେ ସମାପ୍ତ ହୁଏ ବୋଲି କହି ହେବ ନାହିଁ । ହନୁ ମାଙ୍କଡ଼ମାନେ ପ୍ରେମକ୍ରୀଡ଼ାରେ ମଜ୍ଜି ରହିଥିବା ବେଳେ ଦଳର ଅନ୍ୟ ସଦସ୍ୟମାନେ ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଥାନ୍ତି ।[୩୩] ମାଈ ମାଙ୍କଡ଼ମାନେ ମଧ୍ୟ କ୍ରୀଡ଼ାଭଙ୍ଗୀରେ ଅନ୍ୟ ମାଈ ମାଙ୍କଡ଼ ଉପରକୁ ଚଢ଼ିଥାନ୍ତି ।[୪୦]
ଯୋଧପୁର ଅଞ୍ଚଳରେ ହନୁ ମାଙ୍କଡ଼ମାନଙ୍କ ଗର୍ଭଧାରଣ ସମୟ ପ୍ରାୟ ୨୦୦ ଦିନ । କେତେକ ଅଞ୍ଚଳରେ ହନୁ ମାଙ୍କଡ଼ମାନେ ବର୍ଷ ତମାମ ପ୍ରଜନନ କରୁଥାନ୍ତି । [୩୯] ମନୁଷ୍ୟ ଆଖରେ ପାଖରେ ରହୁଥିବା ହନୁ ମାଙ୍କଡ଼ଙ୍କଠାରେ ଏହି ପ୍ରବୃତ୍ତି ଦେଖିବାକୁ ମିଳେ । ଅନ୍ୟ ହନୁ ମାଙ୍କଡ଼ମାନେ ପ୍ରଜନନ ଋତୁ ଅନୁଯାୟୀ ପ୍ରଜନନ କରିଥାନ୍ତି । [୩୩]
ଶିଶୁ ହତ୍ୟା ହନୁ ମାଙ୍କଡ଼ମାନଙ୍କ ଏକ ସାଧାରଣ ପ୍ରବୃତ୍ତି । କୌଣସି ଅଣ୍ଡିରା ମାଙ୍କଡ଼ ଏକ ଦଳର ମୁଖିଆକୁ ଘଉଡ଼ାଇ ନୂଆ ମୁଖିଆ ହେଲେ ସେ ଦଳର ସମସ୍ତ ଶାବକଙ୍କୁ ହତ୍ୟା କରିଦେଇଥାଏ । ନିଜଠାରୁ ଜାତ ଶାବକ ଛଡ଼ା ଏହି ଅଣ୍ଡିରାମାନେ ଅନ୍ୟ ସବୁ ଶାବକଙ୍କ ହତ୍ୟା କରିପକାନ୍ତି ।[୪୧] ଏକ ସମୟରେ କେବଳ ଜଣେ ଅଣ୍ଡିରା ପ୍ରେମ ଅଧିକାର ପାଉଥିବାରୁ ଏକ-ଅଣ୍ଡିରା ଦଳରେ ଶିଶୁ ହତ୍ୟା ସର୍ବାଧିକ ପରିଲକ୍ଷିତ ହୁଏ । ବହୁ-ଅଣ୍ଡିରା ଦଳରେ କେହି ଅଣ୍ଡିରା ଶିଶୁ ହତ୍ୟାର ମନ ବଳାଇଲେ ମଧ୍ୟ ଶିଶୁମାନଙ୍କୁ ନିଜ ପିତାଠାରୁ ସୁରକ୍ଷା ମିଳୁଥିବାରୁ ଓ ଅନେକ ଅଣ୍ଡିରା ମାଙ୍କଡ଼ଙ୍କ ଉପସ୍ଥିତିରେ ପ୍ରେମ କରିବାର ଅଧିକାର ମିଳିବା କଷ୍ଟ ହୋଇଥିବାରୁ ଶିଶୁ ମୃତ୍ୟୁ ହାର କମିଯାଏ । ଶାବକର ହତ୍ୟା କଲେ ମାଈ ମାଙ୍କଡ଼ ପୁଣି ପ୍ରଜନନୋପଯୋଗୀ ହୋଇଥାଏ ଓ ରତିକ୍ରୀଡ଼ାର ସୁଯୋଗ ସୃଷ୍ଟି ହୁଏ ବୋଲି ଅଣ୍ଡିରା ମାଙ୍କଡ଼ମାନେ ଶାବକଙ୍କୁ ହତ୍ୟା କରନ୍ତି । [୪୨]
ସାଧାରଣତଃ ମାଈ ମାଙ୍କଡ଼ମାନେ ଗୋଟିଏ ବା ଅତି ବେଶୀରେ ଯମଜ ସନ୍ତାନଙ୍କୁ ଜନ୍ମ ଦିଅନ୍ତି । ପ୍ରାୟତଃ ରାତ୍ରି ସମୟରେ ଶାବକମାନେ ଜନ୍ମ ହୋଇଥାନ୍ତି । [୪୩] ନବଜାତ ଶିଶୁମାନ ପତଳା, ଗାଢ଼ ମାଟିଆ/କଳା/ଅବସନ୍ନ ପୀତ ରଙ୍ଗର ହୋଇଥାନ୍ତି । ଶାବକମାନେ ଜନ୍ମର ପ୍ରଥମ ସପ୍ତାହ ନିଜ ମା’କୁ ଜାବୁଡ଼ି ଧରି ରୁହନ୍ତି, ମା’ଠାରୁ ସ୍ତନ୍ୟପାନ କରନ୍ତି ଓ ଶୋଇ ରୁହନ୍ତି । [୪୪] ଜୀବନର ପ୍ରଥମ ଦୁଇ ସପ୍ତାହ ସେମାନେ ବେଶୀ ଚଳପ୍ରଚଳ ହୁଅନ୍ତି ନାହିଁ । ଜନ୍ମର ଷଷ୍ଠ ସପ୍ତାହ ବେଳକୁ ଏମାନେ ନାନା ଶବ୍ଦ କରିବା ଆରମ୍ଭ କରନ୍ତି । [୪୫] ସେମାନେ ଭୟରେ ଚିତ୍କାର କରି ନିଜ ମନ ଅବସ୍ଥା ଜଣାନ୍ତି । ପରବର୍ତ୍ତୀ ମାସମାନଙ୍କରେ ଶିଶୁମାନେ ଚାରି ଗୋଡ଼ ସହାୟତାରେ ଚଲାବୁଲା କରିବା ଆରମ୍ଭ କରନ୍ତି ଓ ଦ୍ୱିତୀୟ-ତୃତୀୟ ମାସ ବେଳକୁ ଧାଇଁବା, କୁଦିବା, ଲମ୍ଫ ମାରିବା ଆରମ୍ଭ କରନ୍ତି । ସମଗ୍ର ଦଳ ଶିଶୁମାନଙ୍କୁ ମିଳିମିଶି ଲାଳନପାଳନ କରନ୍ତି, ଅନ୍ୟ ମାଙ୍କଡ଼ମାନେ ଦୁଇ ବର୍ଷ ହେଲେ ଶାବକଙ୍କୁ ପାଳନରେ ସହଯୋଗ କରନ୍ତି ଓ ଅନ୍ୟ ମାଈ ମାଙ୍କଡ଼ଙ୍କ ତତ୍ତ୍ୱାବଧାନରେ ରୁହନ୍ତି । ଅଧିକାଂଶ ସମୟରେ ମା’ ମରିଗଲେ ଶିଶୁ ମଧ୍ୟ ମୃତ୍ୟୁବରଣ କରିଥାଏ ।[୪୪] ହନୁ ମାଙ୍କଡ଼ମାନେ ୧୩ ମାସରେ ମା’ କ୍ଷୀର ଖାଇବା ଛାଡ଼ି ଦିଅନ୍ତି ।
ହନୁ ମାଙ୍କଡ଼ମାନେ ବିଭିନ୍ନ ପ୍ରକାରର ଶବ୍ଦ ଓ ଧ୍ୱନିଦ୍ୱାରା ଯୋଗାଯୋଗ ବା କଥୋପକଥନ କରିଥାନ୍ତି :[୪୬][୪୭]
କେତେକ ଅଞ୍ଚଳରେ ହନୁ ମାଙ୍କଡ଼ମାନଙ୍କ ସଂଖ୍ୟା ପ୍ରାୟ ସ୍ଥିର ରହିଥିବା ବେଳେ ଆଉ କେତେକ ସ୍ଥାନରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । [୪୮] ଉଭୟ କୃଷ୍ଣପଦ ହନୁ ମାଙ୍କଡ଼ ଓ କାଶ୍ମୀରୀ ହନୁ ମାଙ୍କଡ଼ଙ୍କ ସ୍ଥିତି ସଙ୍କଟାପନ୍ନ ଅବସ୍ଥାରେ ରହିଛି । [୬][୪୯] ସମୁଦାୟ ୨୫୦ ସଂଖ୍ୟାବିଶିଷ୍ଟ କାଶ୍ମୀରୀ ହନୁ ମାଙ୍କଡ଼, ହନୁ ମାଙ୍କଡ଼ମାନଙ୍କର ଏକ ଅତି ବିରଳ ଉପ-ପ୍ରଜାତି ଅଟନ୍ତି ।[୬]
ଭାରତରେ ହନୁ ମାଙ୍କଡ଼ମାନଙ୍କ ସଂଖ୍ୟା ପ୍ରାୟ ୩୦୦୦୦୦ । [୫୦] ହନୁ ମାଙ୍କଡ଼ଙ୍କୁ ଧରିବା ବା ଶିକାର କରିବା ଭାରତୀୟ ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ, କିନ୍ତୁ ତଥାପି ଭାରତର କିଛି ଅଞ୍ଚଳରେ ଏମାନଙ୍କର ଶିକାର କରାଯାଏ । [୯] ଏପରି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇ ପାରିନାହିଁ ଓ ଅଧିକାଂଶ ଲୋକ ମଧ୍ୟ ଏହି ଆଇନ ସମ୍ପର୍କରେ ଜାଣି ନାହାନ୍ତି । [୫୧] ଏତତ୍ ବ୍ୟତୀତ ଖଣି, ବଣନିଆଁ ଓ ଜଙ୍ଗଲ ଉଚ୍ଛେଦ ଯୋଗୁଁ ଏହି ମାଙ୍କଡ଼ମାନଙ୍କ ସଂଖ୍ୟା ହ୍ରାସ ପାଉଛି । [୫୨]
ହନୁ ମାଙ୍କଡ଼ମାନେ ସଡ଼କ କଡ଼ରେ ଚଳପ୍ରଚଳ କରିବା ଓ ଗାଡ଼ି ତଳେ ଆସି ଦୁର୍ଘଟଣାରେ ପ୍ରାଣ ହରାଇବା ମଧ୍ୟ ଦେଖାଯାଇଛି । ଏହା ସଂରକ୍ଷିତ ଅଞ୍ଚଳରେ ମଧ୍ୟ ଘଟିବାର ଦେଖାଯାଏ; ରାଜସ୍ଥାନର କୁମ୍ଭାଲଗଡ଼ ବନ୍ୟଜନ୍ତୁ ଅଭୟାରଣ୍ୟରେ ହନୁ ମାଙ୍କଡ଼ ମୃତ୍ୟୁର ଏକ-ଚତୁର୍ଥାଂଶ ମୃତ୍ୟୁର କାରଣ ହେଉଛି ସଡ଼କ ଦୁର୍ଘଟଣା । [୫୩] ହିନ୍ଦୁମାନେ ହନୁ ମାଙ୍କଡ଼କୁ ଏକ ପବିତ୍ର ଜୀବଭାବେ ପରିଗଣିତ କରିଥାନ୍ତି । ତେଣୁ ହିନ୍ଦୁ ପୂଜକମାନେ କେତେକ ମନ୍ଦିର ପାଖରେ ଏମାନଙ୍କୁ ରଖିବା ଦେଖାଯାଇଛି । ଆଉ କେତେକ ଲୋକ ଭାଗ୍ୟୋଦୟ ତଥା ବିପଦରୁ ଦୂରେଇ ରହିବା ପାଇଁ ହନୁ ମାଙ୍କଡ଼ଙ୍କ ଶରୀରର ଅଂଶକୁ ତାବିଜ ଆକାରରେ ଧାରଣ କରନ୍ତି, ସେମାନଙ୍କ ମାଂସ ଖାଆନ୍ତି ଓ ସେମାନଙ୍କ ଶରୀରର ଅଂଶରୁ ଔଷଧ ତିଆରି କରନ୍ତି । [୫୪]
ହନୁ ମାଙ୍କଡ଼ମାନେ ପବିତ୍ର ବୋଲି ଧାର୍ମିକ ବିଶ୍ୱାସ ରହିଥିବାରୁ ଓ ଏହି ମାଙ୍କଡ଼ମାନେ ଅତି ଆକ୍ରାମକ ହୋଇନଥିବାରୁ ଏମାନଙ୍କୁ ପୋଷା ମନାଇ ବା ବାନ୍ଧି ରଖାଯାଏ ନାହିଁ । କିନ୍ତୁ ମାଙ୍କଡ଼ମାନଙ୍କ କାର୍ଯ୍ୟକଳାପ ଯୋଗୁଁ ଅନେକ ସ୍ଥାନରେ ଏହି ଉଦାର ମନୋଭାବରେ ବ୍ୟତିକ୍ରମ ଦେଖାଦିଏ । ହନୁ ମାଙ୍କଡ଼ମାନେ ଦଳବଦ୍ଧ ଭାବେ ଫସଲ ଖାଇଯାଆନ୍ତି ଓ ଘରେ ପଶି ମନୁଷ୍ୟଙ୍କ ଖାଦ୍ୟ ଲୁଟି ନେଇଯାନ୍ତି । ତେଣୁ କେତେକ କ୍ଷେତ୍ରରେ ଲୋକେ ଏମାନଙ୍କୁ ଆକ୍ରମଣ କରିବା ଦେଖାଯାଏ । [୫୫] ମନ୍ଦିରରେ ମଣିଷମାନେ ହନୁ ମାଙ୍କଡ଼ଙ୍କୁ ଖୁଆଉଥିବା ବେଳେ ହନୁ ମାଙ୍କଡ଼ ଘରେ ପଶିଲେ ସମାନ ସହିଷ୍ଣୁତା ଦେଖାନ୍ତି ନାହିଁ । [୫୬] ସହରାଞ୍ଚଳରେ ହନୁ ମାଙ୍କଡ଼ମାନେ ଖାଦ୍ୟ ଚୋରି କରିବା, ଖାଦ୍ୟ ଛଡ଼ାଇ ନେବା, ଖାଦ୍ୟ ପାଇଁ ମଣିଷଙ୍କୁ କାମୁଡ଼ିବା ପରି କାର୍ଯ୍ୟକଳାପ ମଣିଷଙ୍କୁ ଏମାନଙ୍କ ବିରୋଧରେ ଉତ୍ତ୍ୟକ୍ତ କରାଇବାର ଅନ୍ୟତମ କାରଣ । [୫୭]
ରାମାୟଣ ଓ ମହାଭାରତ କାବ୍ୟର ହନୁମାନ ଚରିତ୍ର ଜଣେ ବାନରରୂପୀ ଭଗବାନ ଥିଲେ । ହିନ୍ଦୁ ଧର୍ମାବଲମ୍ବୀମାନେ ହନୁମାନଙ୍କୁ ପ୍ରଭୁ ଶ୍ରୀରାମଙ୍କ ଶ୍ରେଷ୍ଠ ଭକ୍ତ ତଥା ଭଗବାନ ଶିବଙ୍କ ଅବତାର ରୂପେ ପୂଜା କରିଥାନ୍ତି । ବାଲ୍ୟକାଳରେ ଉଦିତ ସୂର୍ଯ୍ୟଙ୍କୁ ଫଳ ଭାବି ଅଞ୍ଜନେୟ ତାଙ୍କୁ ଖାଇଦେବା ପାଇଁ ମହାକାଶକୁ ଲମ୍ଫ ପ୍ରଦାନ କରିଥିଲେ । ସୂର୍ଯ୍ୟଦେବଙ୍କ ଅନୁରୋଧ କ୍ରମେ ଦେବରାଜ ଇନ୍ଦ୍ର ଅଞ୍ଜନେୟଙ୍କୁ ରୋକିବା ପାଇଁ ବଜ୍ରର ପ୍ରୟୋଗ କରିଥିଲେ । ଏହି ବଜ୍ରର ପ୍ରୟୋଗରେ ଅଞ୍ଜନେୟଙ୍କ ଥୋଡ଼ିର ହାଡ଼ ବା ହନୁ ହାଡ଼ ଭାଙ୍ଗିଯାଇଥିବାରୁ ପରବର୍ତ୍ତୀ ସମୟରେ ସେ “ହନୁମାନ” ନାମରେ ଖ୍ୟାତ ହୋଇଥିଲେ । ହନୁମାନଙ୍କୁ ବଳ, ଶକ୍ତି ତଥା ସଙ୍କଟ ମୋଚକ ସ୍ୱରୂପରେ ହିନ୍ଦୁମାନେ ପୂଜା କରନ୍ତି । ଏପରି ଧାର୍ମିକ ବିଶ୍ୱାସ ଯୋଗୁଁ ଅନେକ ସ୍ଥାନରେ ମଣିଷମାନେ ହନୁ ମାଙ୍କଡ଼ମାନଙ୍କୁ ପବିତ୍ର ବୋଲି ଭାବନ୍ତି ଓ ସେମାନଙ୍କୁ ଖାଦ୍ୟ ଖୁଆଇଥାନ୍ତି । କର୍ଣ୍ଣାଟକର ବିଦର ଗଡ଼ରେ, ଉଜ୍ଜୈନର କାଳ ଭୈରବୀ ମନ୍ଦିରରେ ଭକ୍ତମାନେ ହନୁ ମାଙ୍କଡ଼ମାନଙ୍କୁ ଖୁଆଇବା ଦେଖିବାକୁ ମିଳେ ।
ହନୁ ମାଙ୍କଡ଼ ବା ହନୁମାନ ଲଂଗୁର୍ ଭାରତୀୟ ଉପମହାଦ୍ୱୀପରେ ସର୍ବବ୍ୟାପ୍ତ ବାନର ପ୍ରଜାତି ଓ ଆଦି ବାନରମାନଙ୍କ ମଧ୍ୟରୁ ଅନ୍ୟତମ । ଏମାନଙ୍କ ପ୍ରଜାତିର ଜୀବବିଜ୍ଞାନ ନାମ ହେଲା Semnopithecus, ଯାହା ଗ୍ରୀକ୍ ଶବ୍ଦ σεμνός (semnós ଅର୍ଥାତ୍ -ପବିତ୍ର) ଓ πίθηκος (píthēkos ଅର୍ଥାତ୍ - ବାନର)ର ସମ୍ମିଶ୍ରଣରୁ ସୃଷ୍ଟ । ଏମାନଙ୍କ ସମସ୍ତ ପ୍ରଜାତି Semnopithecus entellus ମୁଖ୍ୟ ପ୍ରଜାତିର ଅଂଶ ଭାବେ ପରିଗଣିତ ହୁଅନ୍ତି । ୨୦୦୧ ମସିହାରେ ପୂର୍ବରୁ ଆବିଷ୍କୃତ କିଛି ଭିନ୍ନ ଭିନ୍ନ ଉପ-ପ୍ରଜାତିଙ୍କୁ ପ୍ରଜାତି ଭାବେ ଗଣନା କରାଯିବାରୁ ୭ଟି ଭିନ୍ନ ପ୍ରଜାତିର ସୃଷ୍ଟି ହେଲା । ଅଳ୍ପ ଉପ-ପ୍ରଜାତି ବିଶିଷ୍ଟ ଆଉ ଏକ ପ୍ରସ୍ତାବିତ ଶ୍ରେଣୀ ବିଭାଗ ମଧ୍ୟ ରହିଛି । Trachypithecus ପ୍ରଜାତିର ଉପ-ପ୍ରଜାତି ଭାବେ ପରିଗଣିତ ନୀଳଗିରି ହନୁ ମାଙ୍କଡ଼ ଓ ବାଇଗଣୀମୁହାଁ ହନୁ ମାଙ୍କଡ଼ ପ୍ରକୃତରେ Semnopithecus' ପ୍ରଜାତିର ବୋଲି ଜେନେଟିକ୍ ପ୍ରମାଣ ମିଳିଛି ।
ହନୁ ମାଙ୍କଡ଼ମାନେ ପ୍ରାୟତଃ ପାଉଁଶିଆ ବା ଧୁସରିଆ ରଙ୍ଗର । ଖାଦ୍ୟ ପାଇଁ ହନୁ ମାଙ୍କଡ଼ ଦଳ ଏକ ନିର୍ଦ୍ଦିଷ୍ଟ ଇଲାକାର ନିୟନ୍ତ୍ରଣ କରନ୍ତି । ଭାରତୀୟ ଉପମହାଦ୍ୱୀପରେ ଏମାନେ ଘଞ୍ଚ ଜଙ୍ଗଲ, ପତଳା ଜଙ୍ଗଲ; ଏପରିକି ସହର ଆଖାପାଖି ଅଞ୍ଚଳରେ ମଧ୍ୟ ବସବାସ କରନ୍ତି । ଅଧିକାଂଶ ସ୍ଥାନରେ ହନୁ ମାଙ୍କଡ଼ମାନେ ସମୁଦ୍ର ପତନରୁ ନିମ୍ନ-ମଧ୍ୟମ ଉଚ୍ଚତାରେ ରହୁଥିବା ବେଳେ, ହିମାଳୟ ଅଞ୍ଚଳରେ ନେପାଳୀ ହନୁ ମାଙ୍କଡ଼ ଓ କାଶ୍ମୀରୀ ହନୁ ମାଙ୍କଡ଼ ପ୍ରାୟ ୪୦୦୦ ମିଟର୍ (୧୩୦୦୦ ଫୁଟ୍) ଉଚ୍ଚତା ପର୍ଯ୍ୟନ୍ତ ଦେଖାଯାନ୍ତି ।