ଭାରତୀୟ କଲରାପତରିଆ ବାଘ (ଇଂରାଜୀରେ Indian leopard ଓ ଜୀବବିଜ୍ଞାନ ନାମ Panthera pardus fusca) ଭାରତୀୟ ଉପମହାଦେଶରେ ଦେଖାଯାଉଥିବା କଲରାପତରିଆ ବାଘଙ୍କର ଏକ ଉପପ୍ରଜାତି । ପରିବାସ ନଷ୍ଟ, ବିଖଣ୍ଡନ, ଶିକାର, ମନୁଷ୍ୟଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାରୁ ହତ୍ୟା, ଅବୈଧ ବ୍ୟବସାୟ ବଢ଼ି ଦିନକୁ ଦିନ ସଂଖ୍ୟା ହ୍ରାସ ପାଉଥିବାରୁ IUCN ସଂରକ୍ଷଣ ତାଲିକାରେ କଲରାପତରିଆ ବାଘକୁ ସଙ୍କଟାଭିମୁଖୀ (Vulnerable) ପ୍ରଜାତିରେ ସ୍ଥାନିତ କରାଯାଇଛି ।[୧]
ଭାରତୀୟ ଉପମହାଦେଶର ବଡ଼ ବିଡ଼ାଳମାନଙ୍କ ମଧ୍ୟରେ ଏସୀୟ ସିଂହ, ମହାବଳ ବାଘ, ହିମ କଲରାପତ୍ରିଆ ବାଘ, ମେଘଛାପ ବାଘ ତଥା ଭାରତୀୟ କଲରାପତରିଆ ବାଘ ପ୍ରମୁଖ ।[୨][୩][୪]
୨୦୧୪ ମସିହାରେ ଜାତୀୟ ସ୍ତରରେ ଉତ୍ତର-ପୂର୍ବ ଭାରତକୁ ଛାଡ଼ି ଭାରତର ଅନ୍ୟ ସବୁ ବାଘଙ୍କ ପରିବାସରେ କେତେ କଲରାପତ୍ରିଆ ବାଘ ରହୁଛନ୍ତି ତାହାର ଏକ ଗଣନା କରାଯାଇଥିଲା । ସର୍ବେକ୍ଷଣ କରାଯାଇଥିବା ଅଞ୍ଚଳରେ ୭୯୧୦ ଓ ସମଗ୍ର ଭାରତରେ ୧୨୦୦୦ରୁ ୧୪୦୦୦ କଲରାପତରିଆ ବାଘ ରହିଥିବାର ଅନୁମାନ କରାଯାଇଥିଲା ।[୫][୬]
୧୯୭୪ ମସିହାରେ ଜର୍ମାନୀର ପ୍ରକୃତିବିତ୍ ଫ୍ରିଏଡ୍ରିଖ୍ ଆଲବ୍ରେଖ୍ଟ୍ ଆଣ୍ଟନ୍ ମେୟର୍ “ଟାୱର୍ ଅଫ୍ ଲଣ୍ଡନ”ଠାରେ ପ୍ରଦର୍ଶିତ କଳା କଲରାପତରିଆ ବାଘକୁ ଫେଲିସ୍ ଫୁସ୍କା (Felis fusca) ବୋଲି ନାମିତ କରି ତାହାର ବର୍ଣ୍ଣନା କରିଥିଲେ ।[୭] ୧୮୬୩ ମସିହାରେ ବ୍ରାଏନ୍ ହଟ୍ଟନ୍ ହଜ୍ସନ୍ ନେପାଳରୁ ମିଳିଥିବା କଲରାପତରିଆ ବାଘ ଚମଡ଼ାକୁ ‘ଲେପର୍ଡସ୍ ପର୍ନିଗର୍’ ବୋଲି ବର୍ଣ୍ଣନା କରିଥିଲେ । ସେ ବ୍ରିଟିଶ୍ ସଂଗ୍ରହାଳୟକୁ ୫ଟି କଲରାପତରିଆ ବାଘଛାଲ ପଠାଇଥିଲେ ଯେଉଁଥିରୁ ୩ଟି କଳା ରଙ୍ଗର ଥିଲା । ନେପାଳ ଓ ଭାରତର ସିକ୍କିମ୍ ଏହି ପ୍ରାଣୀଙ୍କ ପରିବାସ ବୋଲି ସେ କହିଥିଲେ ।[୮] ୧୯୩୦ ମସିହାରେ ରେଜିନାଲ୍ଡ ଇନ୍ନିସ୍ ପୋକକ୍ କାଶ୍ମୀରରୁ ମିଳିଥିବା ଏକ କଲରାପତରିଆ ବାଘର ଛାଲ ଓ ଖପୁରୀ ବିଷୟରେ ବର୍ଣ୍ଣନା କରି ଏହାକୁ “ପାନ୍ଥେରା ପାର୍ଡସ୍ ମିଲାର୍ଡି” ବୋଲି ନାମିତ କରିଥିଲେ । “ପାନ୍ଥେରା ପାର୍ଡସ୍ ପାର୍ଡସ୍” ବା ଆଫ୍ରିକୀୟ କଲରାପତ୍ରିଆ ବାଘର ଛାଲଠାରୁ ଏହା ସାମାନ୍ୟ ଭିନ୍ନ ଥିଲା କାରଣ ଏହାର ଲୋମ ଲମ୍ବା ଥିଲା ଓ ଏହାର ରଙ୍ଗ ସାମାନ୍ୟ ପାଉଁଶିଆ ଥିଲା ।[୯]
ଭୌଗୋଳିକ ଦୃଷ୍ଟିକୋଣରୁ ନେପାଳ, ସିକ୍କିମ୍ ଓ କାଶ୍ମୀରର କଲରାପତ୍ରିଆ ବାଘ ଭାରତୀୟ ଉପମହାଦ୍ୱୀପର ଅନ୍ୟ କଲରାପତ୍ରିଆ ବାଘଙ୍କଠାରୁ ସେତେ ବିଚ୍ଛିନ୍ନ ହୋଇନଥିବାରୁ ୧୯୯୬ ମସିହାରେ ସମସ୍ତଙ୍କୁ ମିଶାଇ “ପାନ୍ଥେରା ପାର୍ଡସ୍ ଫୁସ୍କା” ଶ୍ରେଣୀ ଭାବେ ପରିଗଣିତ କରାଯିବାକୁ ଲାଗିଲା ।[୧୦][୧୧]
୧୭୯୪ ମସିହାରେ ବଙ୍ଗରେ ଦେଖାଯାଉଥିବା ପ୍ୟାନ୍ଥର୍-ସଦୃଶ ବିଡ଼ାଳ “ଫେଲିସ୍ ଫୁସ୍କା” ବିଷୟରେ ଫ୍ରିଏଡ୍ରିଖ୍ ଆଲବ୍ରେଖ୍ଟ୍ ଆଣ୍ଟନ୍ ମେୟର୍ ବର୍ଣ୍ଣନା କରି ଲେଖିଥିଲେ ଯେ - ଏହା ପ୍ରାୟ ୮୫.୫ ସେ.ମି., ଏହାର ଗୋଡ଼ଗୁଡ଼ିକ ସବଳ, ସୁଗଠିତ ଲାଞ୍ଜ, ପ୍ୟାନ୍ଥର୍ ପରି ବଡ଼ ମୁଣ୍ଡ, ବଡ଼ ନାକ, ଛୋଟ କାନ, ଛୋଟ ଓ ଈଷତ୍ ହଳଦିଆ-ପାଉଁଶିଆ ଆଖି । ପ୍ରଥମେ କଳା ଦେଖାଯାଇଥିବା ଏହି ଜୀବର ନିକଟରୁ ଅନୁଶୀଳନ କଲେ ଏହା ଦେହରେ ମାଟିଆ ରଙ୍ଗର କଲରାପତ୍ର ଦାଗ ରହିଥିବାର ଜଣାଯାଏ ବୋଲି ମଧ୍ୟ ସେ ଲେଖିଥିଲେ ।[୭]
ଏହି ଜୀବର ଫିକା ହଳଦିଆ, ହଳଦିମିଶା ମାଟିଆ ବା ଅଳ୍ପ ସୁନେଲି ରଙ୍ଗର ଚମଡ଼ା ଉପରେ କଲରାପତ୍ର ପରି ଦାଗ ସବୁ ରହିଥାଏ । ମେଲାନିନ୍ ଆଧିକ୍ୟ ରହିଲେ ତାହାର ଚମଡ଼ା କଳା ରଙ୍ଗର ହୋଇଥାଏ ଓ ତାହାକୁ କଳାବାଘ କୁହନ୍ତି । ପେଟର ତଳ ପଟକୁ କଲରାପତ୍ର ଦାଗ କ୍ରମଶଃ କମି ଆସିଥାଏ । ପେଟର ତଳ ପଟ ପରି ଗୋଡ଼ର ଭିତର ପଟକୁ ମଧ୍ୟ ଚମଡ଼ା ଧଳା ଓ କଲରା ପତ୍ର ଦାଗ ନଥାଏ । ପିଠି, ପେଟର ଦୁଇପାର୍ଶ୍ୱ ଓ ଦେହର ପଛ ପଟେ କଲରାପତ୍ର ଦାଗ ଅତି ସ୍ପଷ୍ଟ ଥାଏ । ପ୍ରତି ବାଘର କଲରାପତ୍ର ଦାଗ ସ୍ୱତନ୍ତ୍ର ଓ ପରସ୍ପରଠାରୁ ଅଲଗା ।[୧୨][୧୩] କୈଶୋରାବସ୍ଥାରେ ଏମାନଙ୍କ ଚମଡ଼ାରେ ଘନ ଲୋମ ଥାଏ ଓ କଲରାପତ୍ର ଦାଗ ପରସ୍ପରର ଅତି ନିକଟରେ ରହିଥିବାରୁ ଦେହର ରଙ୍ଗ ଟିକେ କଳା ଲାଗେ । ଧଳା ଅଗ୍ର ଥିବା ଲାଞ୍ଜଟି ୬୦-୧୦୦ ସେଣ୍ଟିମିଟର୍ ଲମ୍ବ ହୋଇଥାଏ । ଲାଞ୍ଜରେ କଲରାପତ୍ର ଦାଗ ଥାଏ ଯାହା ଶେଷ ଆଡ଼କୁ ଅସମ୍ପୂର୍ଣ୍ଣ କୁଣ୍ଡଳୀ ପରି ଦେଖାଯାନ୍ତି । ଲାଞ୍ଜର ତଳପଟି ଧଳା ରଙ୍ଗର ହୋଇଥାଏ । ସାଧାରଣତଃ ଏସୀୟ କଲରାପତ୍ରିଆ ବାଘମାନଙ୍କ କ୍ଷେତ୍ରରେ କଲରାପତ୍ରର ଦାଗଗୁଡ଼ିକ ବଡ଼ ବଡ଼ । ଶୁଷ୍କ ଭୂଭାଗରେ ଏମାନଙ୍କ ଛାଲର ରଙ୍ଗ ଫିକା ଓ ଅବସନ୍ନ, ଶୀତଳ ଜଳବାୟୁରେ ଛାଲର ରଙ୍ଗ ଅଳ୍ପ ପାଉଁଶିଆ ତଥା ବୃଷ୍ଟିବଣରେ ଛାଲର ରଙ୍ଗ ଗାଢ଼ ।[୨]
ଅଣ୍ଡିରା ଭାରତୀୟ କଲରାପତରିଆ ବାଘର ଶରୀରର ଲମ୍ବ ୪’ ୨”ରୁ ନେଇ ୪’ ୮” ପର୍ଯ୍ୟନ୍ତ, ଲାଞ୍ଜର ଦୈର୍ଘ୍ୟ ୨’ ୬”ରୁ ନେଇ ୩’ ଏବଂ ଶରୀରର ଓଜନ ୫୦-୭୭ କି.ଗ୍ରା. ମଧ୍ୟରେ ହୋଇଥାଏ । ଏକ ମାଈ ଭାରତୀୟ କଲରାପତରିଆ ବାଘର ଆକାର ଅଣ୍ଡିରାମାନଙ୍କଠାରୁ କ୍ଷୁଦ୍ରତର । ସେମାନଙ୍କ ଶରୀରର ଦୈର୍ଘ୍ୟ, ଲାଞ୍ଜର ଦୈର୍ଘ୍ୟ ଓ ଓଜନ ଯଥାକ୍ରମେ ୩’ ୫”ରୁ ୩’ ୧୦”, ୨’ ୬”ରୁ ୨’ ୧୦.୫” ଓ ୨୯-୩୪ କି.ଗ୍ରା. ହୋଇଥାଏ । ଲିଙ୍ଗଗତ ବିସମରୂପତାବିଶିଷ୍ଟ ଏହି ପ୍ରଜାତିର ଅଣ୍ଡିରାମାନେ ମାଈମାନଙ୍କଠାରୁ ଆକାରରେ ଓ ଓଜନରେ ଅଧିକ ।[୧୨]
୨୦୧୬ ମସିହାରେ ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାର ଢାଢୋଲ ଅଞ୍ଚଳରୁ ଏକ ନରଖାଦକ କଲରାପତ୍ରିଆ ବାଘକୁ ମରା ଯାଇଥିଲା । ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ତଥ୍ୟାନୁସାରେ ଏଇଟି ସବୁଠାରୁ ବଡ଼ କଲରାପତ୍ରିଆ ବାଘ ଥିଲା, ଯାହାର ମୁଣ୍ଡରୁ ଲାଞ୍ଜର ଦୈର୍ଘ୍ୟ ୮’ ୭”, କାନ୍ଧର ଓସାର ୩୪” ଏବଂ ଓଜନ ୭୧ କି.ଗ୍ରା. ଥିଲା ।[୧୪][୧୫]
କଲରାପତ୍ରିଆ ବାଘର କଲରାପତ୍ର ଦାଗ ରହିଥିବା ବେଳେ ମେଘଛାପ ବାଘ ଦେହରେ ମେଘର ଛାପ ରହିଥାଏ । ଲମ୍ବା ଗୋଡ଼ ଓ ପତଳା ଲାଙ୍ଗୁଡ଼ ଯୋଗୁଁ ଏମାନଙ୍କୁ ସହଜରେ ପରସ୍ପରଠାରୁ ଚିହ୍ନଟ କରିହେବ ।[୧୬]
ଭାରତୀୟ କଲରାପତରିଆ ବାଘ ଭାରତ, ପାକିସ୍ତାନ, ନେପାଳ, ଭୁଟାନରେ ବାସ କରନ୍ତି ।[୧] ବଙ୍ଗଳାଦେଶରେ ବେଶୀ ମାତ୍ରାରେ କଲରାପତରିଆ ବାଘ ନାହାନ୍ତି କିନ୍ତୁ ସମୟ ସମୟରେ ସିଲହେଟ୍, କକ୍ସ୍ ବଜାର ଓ ଚଟଗ୍ରାମ (ଚିଟାଗୋଂଗ୍)ର ପାହାଡ଼ିଆ ଅଞ୍ଚଳରେ କଲରାପତରିଆ ବାଘ ଦୃଷ୍ଟିଗୋଚର ହୁଅନ୍ତି ।[୧୭][୧୮] ଦକ୍ଷିଣ ତିବ୍ବତର ଚୋମୋଲାଗ୍ମା ଜାତୀୟ ପ୍ରକୃତି ସଂରକ୍ଷିତ ଜଙ୍ଗଲରେ ଭାରତୀୟ କଲରାପତରିଆ ବାଘ ଦେଖିବାକୁ ମିଳନ୍ତି ।[୧୯]
ବୃଷ୍ଟିବଣ, ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ, ମିଶ୍ର ଅରଣ୍ୟ ତଥା ଉତ୍ତର ଭାରତର କୋନାକାର ବୃକ୍ଷର ଜଙ୍ଗଲରେ ଭାରତୀୟ କଲରାପତରିଆ ବାଘ ପରିଲକ୍ଷିତ ହୁଅନ୍ତି ; କିନ୍ତୁ ସୁନ୍ଦରବନର ହେନ୍ତାଳ ଓ ଲୁଣା ଜଙ୍ଗଲରେ ଏମାନଙ୍କୁ ବାସ କରନ୍ତି ନାହିଁ ।[୨]
ପଶ୍ଚିମରେ ସିନ୍ଧୁ ନଦୀ ଓ ଉତ୍ତରରେ ହିମାଳୟ ପର୍ବତମାଳା ଏହି ଉପପ୍ରଜାତିର ଭୌଗୋଳିକ ବ୍ୟାପ୍ତିର ସୀମା ନିର୍ଦ୍ଧାରଣ କରନ୍ତି ବୋଲି ବିଶ୍ୱାସ କରାଯାଏ ।[୧୦] ପୂର୍ବ ଦିଗରେ ଗାଙ୍ଗେୟ ତ୍ରିକୋଣଭୂମି ଓ ବ୍ରହ୍ମପୁତ୍ର ନଦୀର ନିମ୍ନାଂଶ ଭାରତୀୟ କଲରାପତ୍ରିଆ ବାଘଙ୍କ ପରିବାସଠାରୁ ଇଣ୍ଡୋଚୀନୀ କଲରାପତ୍ରିଆ ବାଘଙ୍କ ପରିବାସକୁ ବିଚ୍ଛିନ୍ନ କରିଥାଏ ।[୧୧]
୨୦୧୫ ମସିହାର ଗଣନା ଅନୁଯାୟୀ ମହାବଳ ବାଘ ରହୁଥିବା ଜଙ୍ଗଲରେ ଆର୍ଶ୍ୱପାର୍ଶ୍ୱରେ ୭୯୧୦ ଓ ସମଗ୍ର ଦେଶରେ ୧୨୦୦୦ରୁ ୧୪୦୦୦ କଲରାପତରିଆ ବାଘ ରହିଥିବାର ଅନୁମାନ କରାଯାଇଥିଲା । ଭାରତୀୟ ପ୍ରଦେଶମାନଙ୍କରେ ଏମାନଙ୍କ ବିତରଣର ପରିସଂଖ୍ୟାନ ନିମ୍ନ ସାରଣୀରେ ପ୍ରଦତ୍ତ ।[୫]
କଲରାପତରିଆ ବାଘମାନେ ଏକାକୀ ରୁହନ୍ତି । ମୁଖ୍ୟତଃ ରାତ୍ରିଚର ଏହି ଜୀବ ଅତି ମାୟାବୀ ଓ ସହଜରେ ଦିଶନ୍ତି ନାହିଁ । ଏମାନେ ଗଛ ଚଢ଼ିବାରେ ନିପୁଣ । ଦିନବେଳା ଗଛର ଡାଳରେ ବସି ବିଶ୍ରାମ କରିବା, ଶିକାର କରି ଗଛ ଉପରକୁ ଚଢ଼ାଇନେବା, ଗଛରୁ ମୁହଁ ତଳକୁ କରି ଆରାମରେ ଓହ୍ଲାଇବା ଏମାନଙ୍କ ନୈପୁଣ୍ୟ ଦର୍ଶାଏ ।[୨୦] ଯଦିଓ କଲରାପତ୍ରିଆ ବାଘ ଦକ୍ଷ ସନ୍ତରଣକାରୀ, ସେ ମହାବଳ ବାଘଠାରୁ ବିପରୀତ ପାଣିକୁ ସେତେ ପସନ୍ଦ କରେନାହିଁ । କ୍ଷୀପ୍ର ବେଗବାନ୍ କଲରାପତ୍ରିଆ ବାଘ ୫୮ କି.ମି. ପ୍ରତି ଘଣ୍ଟାର ବେଗରେ ଦୌଡ଼ିପାରେ, ଭୂମି ସହ ସମାନ୍ତରାଳ ଭାବେ ୬ ମିଟର୍ରୁ ଲମ୍ବା ଲମ୍ଫ ପ୍ରଦାନ କରିପାରେ ଓ ୩ମିଟର୍ ପର୍ଯ୍ୟନ୍ତ ଉଚ୍ଚା କୁଦିପାରେ ।[୨୧] କଲରାପତରିଆ ବାଘ ଉତ୍ପନ୍ନ କରୁଥିବା ବିଭିନ୍ନ ଶବ୍ଦ ସଙ୍କେତମାନ ହେଲା – କୁନ୍ଥେଇବା ପରି ଶବ୍ଦ କରିବା, ଗର୍ଜ୍ଜନ କରିବା, ହେଣ୍ଟାଳିବା, ମିଆଉଁ ବୋବାଇବା ଓ ପର୍ର୍-ପର୍ର୍ ଶବ୍ଦ କରିବା ।[୨୨]
ନେପାଳର ବର୍ଦିଆ ଜାତୀୟ ଉଦ୍ୟାନରେ ଅଣ୍ଡିରା କଲରାପତ୍ରିଆ ବାଘମାନେ ୪୮ ବର୍ଗ କି.ମି. ଓ ମାଈ କଲରାପତ୍ରିଆ ବାଘମାନେ ୧୭ ବର୍ଗ କି.ମି. ଅଞ୍ଚଳର ନିୟନ୍ତ୍ରଣ କରିବା ଦେଖାଯାଇଛି । ବାଘୁଣୀ ଶାବକମାନଙ୍କ ସହିତ ରହୁଥିଲେ ତାହାର କ୍ଷେତ୍ର କମିଯାଇ ୫-୭ ବର୍ଗ କି.ମି. ପର୍ଯ୍ୟନ୍ତ ହୋଇଥାଏ ।[୨୩]
କଲରାପତ୍ରିଆ ବାଘ ହେଉଛି ବିଭିନ୍ନ ପ୍ରକାରର ଜୀବ ମାରି ଖାଉଥିବା ଏକ ସୁବିଧାବାଦୀ ଶିକାରୀ ।[୨] ବଡ଼ ଖପୁରୀ ଓ ଶକ୍ତିଶାଳୀ ଥୋଡ଼ହାଡ଼ ଯୋଗୁଁ କଲରାପତ୍ରିଆ ବାଘ ବଡ଼ ଜୀବଜନ୍ତୁଙ୍କ ଶିକାର କରିବାରେ ମଧ୍ୟ ସମର୍ଥ ।[୨୪][୨୫] ସରିସ୍କା ବ୍ୟାଘ୍ର ଅଭୟାରଣ୍ୟର ଭାରତୀୟ କଲରାପତ୍ରିଆ ବାଘ ହରିଣ, ସମ୍ବର, ନୀଳଗାଈ, ବାରହା, ହନୁ ମାଙ୍କଡ଼, ଠେକୁଆ ଓ ମୟୂର ପରି ଜୀବଙ୍କୁ ଖାଇବା ଦେଖାଯାଇଛି ।[୨୬] ପେରିୟାର୍ ବ୍ୟାଘ୍ର ଅଭୟାରଣ୍ୟରେ କଲରାପତ୍ରିଆ ବାଘମାନେ ଅଧିକାଂଶରେ ଆଦି ବାନରମାନଙ୍କୁ ଖାଇବା ଦେଖାଯାଇଛି ।[୨୭]
କଲରାପତ୍ରିଆ ବାଘମାନେ ବର୍ଷସାରା ସହବାସ ଓ ପ୍ରଜନନ କରନ୍ତି, ତେବେ ଭୌଗୋଳିକ ପରିବେଶ ଅନୁସାରେ ବ୍ୟବହାରରେ ସାମାନ୍ୟ ପରିବର୍ତ୍ତନ ଦେଖାଯାଇପାରେ । କଲରାପତ୍ରିଆ ବାଘୁଣୀର ଋତୁ ଚକ୍ର ପ୍ରାୟ ୪୬ ଦିନର ହୋଇଥାଏ ଯେଉଁଥିରେ ସେ ୬-୭ ଦିନ ସର୍ବାଧିକ ପ୍ରଜନନଶୀଳ ତଥା ଉନ୍ମାଦିତ ହୋଇ ରହିଥାଏ ।[୨୮] କଲରାପତ୍ରିଆ ବାଘୁଣୀର ଗର୍ଭଧାରଣ ସମୟ ୯୦ରୁ ୧୦୫ ଦିନ ।[୨୯] ଏକାଥରକେ ବାଘୁଣୀ ୨-୪ଟି ଶାବକଙ୍କୁ ଜନ୍ମ ଦେଇଥାଏ ।[୩୦] ଜନ୍ମର ପ୍ରଥମ ବର୍ଷରେ କଲରାପତ୍ରିଆ ଶାବକଙ୍କ ମୃତ୍ୟୁହାର ପ୍ରାୟ ୪୧-୫୦% ବୋଲି ଅନୁମାନ କରାଯାଇଛି । ବାଘୁଣୀ ନିଜ ଗୁମ୍ଫା, ଗଛ କୋରଡ଼, ପଥର ଗଦା ତଳେ ଏକ ସୁରକ୍ଷିତ ସ୍ଥାନରେ ନିଜ ଛୁଆଙ୍କୁ ଜନ୍ମ ଦେଇଥାଏ । ଜନ୍ମ ବେଳେ ଶାବକମାନଙ୍କ ଆଖି ଖୋଲିନଥାଏ, କିନ୍ତୁ ୪-୯ ଦିନ ପରେ ସେମାନେ ଆଖି ଖୋଲିବା ଆରମ୍ଭ କରନ୍ତି ।[୩୧] ଶାବକମାନଙ୍କ ଲୋମ ଅଧିକ ଲମ୍ବା ଓ ମୋଟା ହୋଇଥାଏ । ସେମାନଙ୍କ ଛାଲ ଅଳ୍ପ ପାଉଁଶିଆ ରଙ୍ଗର ଏବଂ ଦେହର କଲରାପତ୍ର ଦାଗ ଅସ୍ପଷ୍ଟ ହୋଇଥାଏ । ୩ ମାସ ବୟସରେ ଶାବକ ମା’ ସହିତ ଶିକାର ଦେଖିବାକୁ ଯାଏ ଓ ତହିଁରୁ ଶିକାର କରିବାର ଶିକ୍ଷା ଲାଭ କରିଥାଏ । ବର୍ଷକ ବୟସରେ କଲରାପତ୍ରିଆ ବାଘଛୁଆ ଶିକାର କରି ନିଜେ ନିଜର ଖାଦ୍ୟ ଯୋଗାଡ଼ି ପାରେ । କିନ୍ତୁ ଶାବକଟି ୧୮-୨୪ ମାସ ପର୍ଯ୍ୟନ୍ତ ନିଜ ମା’ ସହିତ ରହିଥାଏ । ଏକ କଲରାପତରିଆ ବାଘର ହାରାହାରି ଜୀବନଧାରଣ ସମୟ ୧୨ରୁ ୧୭ ବର୍ଷ ।[୩୨]
ଯେଉଁ ସ୍ଥାନରେ ମହାବଳ ବାଘଙ୍କ ସଂଖ୍ୟା ଅଧିକ ଥାଏ, ସେଠାରେ ଅଧିକ କଲରାପତ୍ରିଆ ବାଘ ଦେଖାଯାନ୍ତି ନାହିଁ । ତେଣୁ ବାଘଙ୍କ ପରିବାସ (ଘଞ୍ଚ ଜଙ୍ଗଲ) ଓ ଜନବସତି ତଥା କୃଷ୍ୟୋପଯୋଗୀ ଭୂମି ମଧ୍ୟରେ ରହିଥିବା ଅଞ୍ଚଳକୁ ଏମାନେ ନିଜର ପରିବାସ ରୂପେ ବାଛିଥାନ୍ତି ।[୩୩] ନେପାଳର ବର୍ଦିଆ ଜାତୀୟ ଉଦ୍ୟାନ ଓ ଭାରତର ସରିସ୍କା ଜାତୀୟ ଉଦ୍ୟାନ ପରି କିଛି ସ୍ଥାନରେ ବାଘଙ୍କ ସଂଖ୍ୟା ବଢ଼ୁଛି ଓ ଏମାନେ କଲରାପତ୍ରିଆ ବାଘଙ୍କୁ ଜନବସତି ଅଞ୍ଚଳକୁ ଘଉଡ଼ାଇ ଦେଉଛନ୍ତି ।[୩୪]
ଗୁଜରାଟର ଗିର୍ ଜାତୀୟ ଉଦ୍ୟାନରେ କଲରାପତ୍ରିଆ ବାଘ ଓ ଏସୀୟ ସିଂହ ଏକାଠୀ ଗୋଟିଏ ଜଙ୍ଗଲରେ ରୁହନ୍ତି ।[୩୫] କାଥିଆୱାଡ଼୍-ଗିର୍ ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟର ବଳୟରେ ଉଭୟ ଗିର୍ ଓ ସରିସ୍କା ଜାତୀୟ ଉଦ୍ୟାନ ରହିଛନ୍ତି ।[୩୬]
ହିମାଳୟରେ (ସମୁଦ୍ରପତନରୁ ୫୨୦୦ ମିଟର୍ ଉଚ୍ଚତା ପର୍ଯ୍ୟନ୍ତ) କଲରାପତ୍ରିଆ ବାଘ ଓ ହିମ କଲରାପତ୍ରିଆ ବାଘ ଏକ ପରିବାସରେ ରହିବା ଦେଖାଯାଏ ।[୧୧] ଉଭୟ କସ୍ତୁରୀ ମୃଗ, ହିମାଳୟ ଥାର୍ ପରି ଜୀବଙ୍କ ଶିକାର କରନ୍ତି । କିନ୍ତୁ କଲରାପତ୍ରିଆ ବାଘମାନେ ନିମ୍ନ ଉଚ୍ଚତାରେ ଥିବା ଜଙ୍ଗଲୀ ପରିବାସରେ ରହିବା ଅଧିକ ପସନ୍ଦ କରନ୍ତି ।[୩୭]
ଭାରତୀୟ ଉପମହାଦେଶର ଅନ୍ୟ ପରିବାସରେ କଲରାପତ୍ରିଆ ବାଘମାନଙ୍କ ପରିବାସରେ ରହୁଥିବା ଅନ୍ୟାନ୍ୟ ମାଂସଭୋଜୀ ପ୍ରାଣୀ ହେଲେ – ମେଘଛାପ ବାଘ, ବଣଭୁଆ, ଚିତା ବିରାଡ଼ି ଓ ମାଛରଙ୍କା ବିରାଡ଼ି ।[୩୮][୩୯][୪୦] ସୁବର୍ଣ୍ଣ ଶୃଗାଳ, କୋକିଶିଆଳୀ, ଭାରତୀୟ ହେଟାବାଘ, ବଳିଆ କୁକୁର, ଗଧିଆ, ସ୍ଲଥ୍ ଭାଲୁ ଓ ଭାରତୀୟ କଳା ଭାଲୁ ମଧ୍ୟ କଲରାପତ୍ରିଆ ସହିତ ସମ ପରିବାସରେ ବାସ କରନ୍ତି ।[୪୦][୪୧][୪୨]
ଅବୈଧ ବ୍ୟବସାୟ ପାଇଁ ବହୁ ସଂଖ୍ୟକ କଲରାପତରିଆ ବାଘଙ୍କ ଶିକାର କରାଯାଏ ଓ ଏହା ସେମାନଙ୍କ ପାଇଁ ସବୁଠୁ ବଡ଼ ବିପଦ । ପରିବାସ କ୍ଷୟ ତଥା ମନୁଷ୍ୟମାନଙ୍କ ସହିତ ମୁହାଁମୁହିଁ ହେବା ପରିସ୍ଥିତି ମଧ୍ୟ କଲରାପତ୍ରିଆ ବାଘଙ୍କ ସଂଖ୍ୟାରେ ହ୍ରାସର ଏକ ପ୍ରମୁଖ କାରଣ ।[୨]
କଲରାପତ୍ରିଆ ବାଘମାନେ ଖୋଲା କୁଅଁରେ ପଡ଼ିଯିବା ଓ ପରେ ବନ ବିଭାଗର କର୍ମଚାରୀମାନଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯିବାର ଘଟଣା ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଛି ।[୪୩][୪୪][୪୫]
ଭାରତ, ନେପାଳ ଓ ଚୀନରେ ବନ୍ୟଜୀବଙ୍କ ଶରୀରର ଅଂଶର ବ୍ୟବସାୟ ବଢ଼ାଇବା ପାଇଁ ବହୁ ସଂଖ୍ୟାରେ ଜୀବଜନ୍ତୁଙ୍କ ଅବୈଧ ଶିକାର କରାଯାଏ ଓ ଏହା କଲରାପତ୍ରିଆ ବାଘଙ୍କ ପାଇଁ ଏକ ବଡ଼ ବିପଦ । ବନ୍ୟଜୀବ ସମ୍ପର୍କିତ ଅପରାଧ ରାଜନୈତିକ ଦୃଷ୍ଟିକୋଣରୁ ସବୁଠାରୁ କମ୍ ମହତ୍ତ୍ୱ ବହନ କରୁଥିବାରୁ ଏହି ତିନୋଟି ଯାକ ଦେଶର ସରକାର ବହୁ ବର୍ଷ ଯାଏଁ ଏପରି ଅପରାଧକୁ ରୋକିବାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିନଥିଲେ । ଅବୈଧ ଶିକାରୀମାନଙ୍କ ସଙ୍ଗଠିତ ଦଳ ଜଙ୍ଗଲ ଜଙ୍ଗଲ ବୁଲି, ଛାଉଣୀ ପକାଇ ବନ୍ୟଜୀବଙ୍କ ଶିକାର କରୁଥିଲେ । ଶିକାର କ୍ଷେତ୍ରରେ ଛାଲ ଛଡ଼ାଇ ସେମାନଙ୍କୁ କିଛି ମାତ୍ରାରେ ପ୍ରସ୍ତୁତ କରାଯାଏ ଓ ପରେ ବଡ଼ ବ୍ୟବସାୟୀ ବା ବିତରକ ସେମାନଙ୍କୁ ନିଜ କର୍ମଶାଳାକୁ ନେଇ ପୂର୍ଣ୍ଣତଃ ପ୍ରସ୍ତୁତ କରନ୍ତି । ଏହା ପରେ ଏକ ସୁପରିଚାଳିତ ସଙ୍ଗଠନର ଯୋଜନା ଅନୁଯାୟୀ ଛାଲ ଓ ଦେହର ଅନ୍ୟ ଅଂଶ ସବୁ ଭାରତ ବାହାରକୁ (ମୁଖ୍ୟତଃ ଚୀନକୁ) ଚୋରା ଚାଲାଣ ହୁଏ ।[୪୬] କାଠମାଣ୍ଡୁ ସହରରୁ ବହୁ ମାତ୍ରାରେ ଜୀବଜନ୍ତୁଙ୍କ ଛାଲ ଜବତ କରାଯିବା ଏହା ପ୍ରମାଣିତ କରିଥିଲା ଯେ ଭାରତରୁ ଚୀନ ଓ ତିବ୍ବତ ଅଭିମୁଖେ ରପ୍ତାନୀ କରାଯାଉଥିବା ଅବୈଧ କାରବାରରେ ଏହି ସହରର ବ୍ୟବସାୟୀମାନେ ଏକ ମଧ୍ୟସ୍ଥିର ଭୂମିକା ଗ୍ରହଣ କରିଆସୁଛନ୍ତି ।[୪୭]
କିନ୍ତୁ ଅଳ୍ପ କିଛି ଚଢ଼ାଉ ଓ ଛାଲ ଜବତ ହେବା ସମ୍ପୂର୍ଣ୍ଣ ଅବୈଧ କାରବାରର କେବଳ ଏକ କ୍ଷୁଦ୍ର ଅଂଶକୁ ପରିପ୍ରକାଶ କରେ । ଧରା ପଡ଼ୁନଥିବା ବହୁ ମାଲ ନିଜ ଗନ୍ତବ୍ୟସ୍ଥଳକୁ ସୁରୁଖୁରୁରେ ପହଞ୍ଚୁଥିବା ସହଜରେ ଅନୁମେୟ ।[୪୬] ଜବତ ହୋଇଥିବା ଛାଲରୁ ଜଣାପଡ଼ିଥିଲା ଯେ:
୨୦୧୦ ମଇ ମାସରେ ଭାରତୀୟ ବନ୍ୟଜୀବ ସୁରକ୍ଷା ସମାଜ ଏକ ଆକଳନ କରିଥିଲା ଯାହା ଅନୁସାରେ ୧୯୯୪ ମସିହା ପରଠାରୁ ୩୧୮୯ଟି କଲରାପତ୍ରିଆଙ୍କ ଅବୈଧ ଶିକାର ହୋଇଛି । ଜବତ ସାମାନରେ ଗୋଟିଏ ମହାବଳ ବାଘ ଛାଲ ପିଛା ୭ଟି କଲରାପତ୍ରିଆ ବାଘ ଛାଲ ରହିଥିଲା ।[୫୬] ଅବୈଧ ବ୍ୟବସାୟ ପାଇଁ ୨୦୦୨ରୁ ୨୦୧୨ ମଧ୍ୟରେ ପ୍ରତି ସପ୍ତାହରେ ୪ଟି କଲରାପତ୍ରିଆ ମରାଯାଉଥିବା ଆଶଙ୍କା କରାଯାଇଥିଲା ।[୫୭]
ସଂରକ୍ଷିତ ଅଞ୍ଚଳ ଓ ଜଙ୍ଗଲର ଉଚ୍ଛେଦ କରି ସେଠାରେ ଚାଷ କରିବା, ଗୋରୁଗାଈ ଚରାଇବା ଯୋଗୁଁ କଲରାପତ୍ରିଆ ବାଘଙ୍କ ପରିବାସ ନଷ୍ଟ ହେବା ସହ ସେମାନଙ୍କ ଶିକାର ହ୍ରାସ ପାଇଯାନ୍ତି । ଏହା ଫଳରେ କଲରାପତ୍ରିଆ ବାଘମାନେ ଗାଁ ଗଣ୍ଡାରେ ପଶି କୁକୁର, ଘୁଷୁରି, ଛେଳି ପରି ଗୃହପାଳିତ ପଶୁଙ୍କ ଶିକାର କରନ୍ତି ଓ କିଛି ଅଞ୍ଚଳରେ ଏହା ସେମାନଙ୍କ ଦୈନନ୍ଦିନ ଖାଦ୍ୟର ଏକ ପ୍ରମୁଖ ଭାଗ । ଏହା ଫଳରେ ମନୁଷ୍ୟ ଓ କଲରାପତ୍ରିଆଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୁଏ ଓ ଗତ କିଛି ବର୍ଷରେ ଏହା ବଢ଼ି ଚାଲିଛି । କଲରାପତ୍ରିଆଙ୍କୁ ପାନେ ଦେବା ପାଇଁ ସେମାନଙ୍କ ଉପରକୁ ଗୁଳି ଚାଳନା କରାଯାଏ, ସେମାନଙ୍କ ଶିକାର ଠାବ କରି ସେଥିରେ ବିଷ ମିଶାଇ ଦିଆଯାଏ ବା ଫାଶ ବସାଇ ସେମାନଙ୍କୁ ଧରାଯାଏ । ଜନବସତିରେ କଲରାପତ୍ରିଆଙ୍କ ପ୍ରବେଶକୁ ଭୟ ଓ ରାଗର ସହିତ ଦେଖାଯାଏ । ଲୋକେ କଲରାପତ୍ରିଆଙ୍କ ପରିବାସ ମାଡ଼ି ବସୁଛନ୍ତି ଓ ଏପରି ଦୁର୍ଘଟଣା ଘଟୁଛି ବୋଲି ସଂରକ୍ଷଣବିତ୍ମାନେ ଏପରି ମାନବୀୟ କାର୍ଯ୍ୟକଳାପର ନିନ୍ଦା କରି ଆସୁଛନ୍ତି ।[୫୮][୫୯] ମଣିଷଙ୍କୁ ଆକ୍ରମଣ କଲେ ହିଁ ଭାରତରେ ବନବିଭାଗ କର୍ମଚାରୀ କଲରାପତ୍ରିଆଙ୍କୁ ଧରିବା ପାଇଁ ଯନ୍ତା ବସାଇପାରିବେ । ଲୋକଙ୍କ ଗହଳି ବା ବିରୋଧ ଯୋଗୁଁ କଲରାପତ୍ରିଆକୁ ଅନ୍ୟତ୍ର ଛଡ଼ାଯିବାରେ ଅସୁବିଧା ସୃଷ୍ଟି ହେଉଥିଲେ ପ୍ରଥମେ ଲୋକଙ୍କୁ ସେଠାରୁ ହଟାଇବା ପରେ ଜୀବଟିକୁ ଛାଡ଼ି ଦିଆଯିବାର ବିଧି ରହିଛି ।[୬୦]
ବ୍ୟାପକ ସହରୀକରଣ ଯୋଗୁଁ କଲରାପତ୍ରିଆ ବାଘଙ୍କ ପରିବାସ ସୀମିତ ହେବାକୁ ଲାଗିଲା ଓ ସେମାନେ ଜନବସତି ନିକଟରେ ନିଜର ଖାଦ୍ୟ ଅନ୍ୱେଷଣ କରିବାକୁ ଲାଗିଲେ ।[୬୧] କର୍ଣ୍ଣାଟକରେ ଏପରି ସଂଘର୍ଷ ବହୁବାର ଦେଖାଯାଇଛି ।[୬୨][୬୩] ନିକଟ ଅତୀତରେ ବେଙ୍ଗାଳୁରୁ ନଗରରେ କିଛି କଲରାପତ୍ରିଆ ବାଘ ପଶି ଆସିଥିଲେ ; ବନବିଭାଗ ପରେ ନଗର ଉପକଣ୍ଠରୁ ୬ଟି କଲରାପତ୍ରିଆ ବାଘଙ୍କୁ ଧରିଥିଲେ ଓ ୪ଟି ବାଘଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଥିଲେ ।[୬୪]
ସିୱାଲିକ୍ ପର୍ବତମାଳା ଓ ହିମାଚଳ ପ୍ରଦେଶ ଅଞ୍ଚଳରେ ୨୦୦୧ରୁ ୨୦୧୩ ମଧ୍ୟରେ ଲୋକେ ୬୮ଟି କଲରାପତ୍ରିଆ ବାଘଙ୍କୁ ହତ୍ୟା କରିଥିଲେ, ଯେଉଁମାନଙ୍କ ମଧ୍ୟରୁ କେବଳ ୧୦ଟିଙ୍କୁ ନରଖାଦକ ବୋଲି ସରକାରୀ ଘୋଷଣା କରାଯାଇଥିଲା ।[୬୫]
ଭୌଗୋଳିକ ପରିବାସ ଓ ଐତିହାସିକ ଘଟଣା କ୍ରମକୁ ଦେଖିଲେ କଲରାପତ୍ରିଆ ବାଘଙ୍କଦ୍ୱାରା ମନୁଷ୍ୟଙ୍କ ଉପରେ ହୋଇଥିବା ଆକ୍ରମଣର ହାର ବା ଆବୃତ୍ତିରେ ଭିନ୍ନତା ଦେଖିବାକୁ ମିଳେ । ନେପାଳ ଓ ଭାରତରେ ଏପରି ଆକ୍ରମଣର ଘଟଣା ବହୁବାର ଘଟୁଥିବାର ଜାଣିବାକୁ ମିଳେ ।[୬୬][୬୭] ପାଞ୍ଚଟି ବିଭିନ୍ନ ପ୍ରଜାତିର ବଡ଼ ବିଡ଼ାଳଙ୍କ ମଧ୍ୟରୁ ଜାଗୁଆର ଓ ହିମ କଲରାପତ୍ରିଆ ବାଘଙ୍କ ମନୁଷ୍ୟଙ୍କ ପ୍ରତି ଆକ୍ରାମକତା ସର୍ବନିମ୍ନ ଏବଂ କଲରାପତ୍ରିଆ ବାଘମାନେ ମଧ୍ୟ ନରଭକ୍ଷୀ ହେବାର ସମ୍ଭାବନା କମ୍ ।[୬୮][୬୯] ସାଧାରଣତଃ କଲରାପତ୍ରିଆ ବାଘମାନେ ମନୁଷ୍ୟଙ୍କଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତି ; ମନୁଷ୍ୟମାନେ ନିକଟକୁ ଆସିଲେ ବାଘ ଓ ସିଂହଙ୍କ ତୁଳନାରେ କଲରାପତ୍ରିଆମାନେ ଅଧିକ ସହିଷ୍ଣୁ, କିନ୍ତୁ ଗୋରୁ ଛେଳି ମେଣ୍ଢା ଇତ୍ୟାଦିଙ୍କୁ ଶିକାର କରିବାକୁ ବାଧ୍ୟ ହେଲେ ମନୁଷ୍ୟଙ୍କ ସହିତ ଏମାନଙ୍କ ସଂଘର୍ଷର ସୂତ୍ରପାତ ଘଟିଥାଏ ।[୭୦]
ଦ୍ରୁତ ସହରୀକରଣ ଯୋଗୁଁ ଉନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ଆରମ୍ଭରେ ଭାରତରେ କଲରାପତ୍ରିଆମାନେ ମନୁଷ୍ୟଙ୍କୁ ଆକ୍ରମଣ କରିବାର ଘଟଣାରେ ବୃଦ୍ଧି ଘଟିଥିଲା ।[୬୮] ଭାରତରେ ଏପରି ଆକ୍ରମଣ ଏବେ ବି ଦେଖିବାକୁ ମିଳେ । କିଛି ସ୍ଥାନରେ ଅନ୍ୟ ହିଂସ୍ର ପଶୁଙ୍କ ତୁଳନାରେ କଲରାପତ୍ରିଆମାନେ ଅଧିକ ମନୁଷ୍ୟଙ୍କ ହତ୍ୟା କରିପକାନ୍ତି ।[୭୧][୭୨]
ବିଶ୍ୱର ଯେଉଁ ସବୁ ସ୍ଥାନରେ କଲରାପତ୍ରିଆ ନରଭକ୍ଷଣ କରନ୍ତି, ତାହାର ହାରର ୧୬ ଗୁଣ ହେଉଛି କେବଳ ନେପାଳର କଲରାପତ୍ରିଆଙ୍କ ନରଭକ୍ଷଣର ହାର । କଲରାପତ୍ରିଆ ବାଘ ଏଠାରେ ପ୍ରତି ୧୦ ଲକ୍ଷ ଜନବସତିରେ ବର୍ଷକୁ ୧.୯ଟି ମୃତ୍ୟୁର କାରଣ ସାଜିଥାନ୍ତି । ହିମାଳୟର ନିମ୍ନଦେଶ, ତେରାଇ ଓ ମଧ୍ୟୋଚ୍ଚ ଅଞ୍ଚଳରେ ଅଧିକାଂଶ ଆକ୍ରମଣ ହୋଇଥାଏ ।[୬୭]
ମଣିଷ ପକ୍ଷେ ଏକ କଲରାପତରିଆ ବାଘକୁ ମାରିବା ସମ୍ଭବପର ; ପ୍ରକାଶିତ ଏକ ରିପୋର୍ଟ୍ ଅନୁଯାୟୀ ଜଣେ ୫୬ ବର୍ଷୀୟା ବୃଦ୍ଧା କେବଳ ଦାଆ ଓ ଶାବଳ ଯୋଗେ ତାକୁ ଆକ୍ରମଣ କରୁଥିବା ଏକ କଲରାପତ୍ରିଆ ବାଘକୁ ମାରି ପକାଇଥିଲା ଓ ଗୁରୁତର ଭାବେ କ୍ଷତାକ୍ତ ହେବା ସତ୍ତ୍ୱେ ପରେ ବଞ୍ଚିଯାଇପାରିଲା ।[୭୩] ବିଶ୍ୱର ବିଭିନ୍ନ ସ୍ଥାନରେ ଘଟୁଥିବା ରାମ୍ପୁଡ଼ା-କାମୁଡ଼ା ତଥା ମରଣାନ୍ତକ ସାଜୁନଥିବା ଆକ୍ରମଣ ସେତେଟା ପ୍ରକାଶିତ ହୁଏନାହିଁ ।[୭୪] କେତେକ ଉଲ୍ଲେଖଯୋଗ୍ୟ ନରଖାଦକ କଲରାପତରିଆ ବାଘ ହେଲେ : ପାନାର୍ ନରଖାଦକ, ମଧ୍ୟ ପ୍ରଦେଶ (ତତ୍କାଳୀନ Central Provinces)ର ନରଭକ୍ଷୀ କଲରାପତରିଆ ବାଘ, ରୁଦ୍ରପ୍ରୟାଗର ପ୍ରସିଦ୍ଧ ନରଭକ୍ଷୀ କଲରାପତରିଆ ବାଘ, ଗୁମ୍ମାଲପୁରର କଲରାପତ୍ରିଆ ବାଘ, ୟେଲାଗିରି ପାହାଡ଼ର କଲରାପତ୍ରିଆ ବାଘ ଓ ଗୋଲିସ୍ ପର୍ବତ ଶ୍ରେଣୀର କଲରାପତରିଆ ବାଘ ।[୭୫]
CITESର ପ୍ରଥମ ଅନୁଚ୍ଛେଦରେ ସମଗ୍ର କଲରାପତରିଆ ବାଘ ପ୍ରଜାତି ତାଲିକାଭୁକ୍ତ ।[୧] ନେପାଳ ଓ ଭାରତ CITES ସହିତ ଅନୁବଦ୍ଧ ଥିଲେ ହେଁ ଉଭୟ ଦେଶର କାର୍ଯ୍ୟକାରୀ ବିଭାଗ ଏହି ସଂସ୍ଥାର ଚିନ୍ତାର ସତ୍ୟତାକୁ ସ୍ୱୀକାର କରନ୍ତି ନାହିଁ । ଅବୈଧ ଶିକାରର ଗତିବିଧି ନିରୀକ୍ଷଣ ପାଇଁ ଆବଶ୍ୟକୀୟ ପ୍ରଶିକ୍ଷିତ ମାନବ ସମ୍ବଳ, ଭିତ୍ତିଭୂମି ଓ ଗୋଇନ୍ଦା ସେବାର ବ୍ୟବସ୍ଥା ଅଦ୍ୟାବଧି ଆଶାନୁରୂପ ଭାବେ ପ୍ରତିଷ୍ଠିତ ହୋଇପାରିନାହିଁ ।[୫୩]
ପ୍ରଥମ ବିଶ୍ୱଯୁଦ୍ଧୋତର ଭାରତରେ ଫ୍ରେଡେରିକ୍ ୱାଲ୍ଟର୍ ଚାମ୍ପ୍ୟନ୍ ସର୍ବ ପ୍ରଥମେ ଚିତ୍ତବିନୋଦନ ପାଇଁ କଲରାପତ୍ରିଆ ବାଘଙ୍କ ଶିକାର ପ୍ରଥାର ତୀବ୍ର ନିନ୍ଦା କରିଥିଲେ ଓ ସେମାନଙ୍କ ସଂରକ୍ଷଣ ପ୍ରତି ଦୃଷ୍ଟି ଆକର୍ଷଣ କରାଇଥିଲେ ।[୭୬] କୁଅଁର ବିଲି ଅର୍ଜନ ସିଂହ ମଧ୍ୟ ୧୯୭୦ ମସିହାରୁ ଏହି ଦିଗରେ କାମ କରି ଆସିଥିଲେ ।[୭୭] ଭାରତରେ ଅଳ୍ପ କିଛି ସ୍ଥାନରେ କଲରାପତ୍ରିଆ ବାଘଙ୍କ ପାଇଁ ରକ୍ଷା କେନ୍ଦ୍ରମାନ ରହିଛି ; ଯଥା ଜୁନ୍ନାରସ୍ଥିତ ମାନିକଦୋଃ କଲରାପତ୍ରିଆ ଉଦ୍ଧାର କେନ୍ଦ୍ର ।[୭୮] ଆଉ ଅଧିକ ଉଦ୍ଧାର କେନ୍ଦ୍ର ସ୍ଥାପନାର ଯୋଜନା ମଧ୍ୟ ରହିଛି ।[୭୯] କିଛି ବନ୍ୟଜୀବ ବିଶେଷଜ୍ଞଙ୍କ ମତାନୁଯାୟୀ ଏପରି ଅଧିକ କଲରାପତ୍ରିଆ ଉଦ୍ଧାର କେନ୍ଦ୍ର ସ୍ଥାପନାରୁ ବେଶୀ ଲାଭ ମିଳିନପାରେ । ବରଂ ମନୁଷ୍ୟଙ୍କୁ ସଚେତନ କରାଇବା, ଜଙ୍ଗଲ ଜମିକୁ ଚରିବା କିମ୍ବା ଚାଷ କରିବା ପାଇଁ ହେଉଥିବା ବ୍ୟାପକ ବ୍ୟବହାର ଉପରେ କଟକଣା ଲଗାଇବା, ଅଧିକ ଦାୟିତ୍ତ୍ୱବାନ ବନ କର୍ମଚାରୀ ଓ ସୁଚିନ୍ତିତ ପରିଚାଳନା ବ୍ୟବସ୍ଥାଦ୍ୱାରା ମନୁଷ୍ୟ ଓ କଲରାପତ୍ରିଆ ବାଘଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସଂଘର୍ଷକୁ କମ୍ କରିହେବ । ଫଳରେ ସେମାନଙ୍କ ସଂରକ୍ଷଣରେ ମଧ୍ୟ ସହାୟତା ମିଳିବ ।[୮୦]
ଭାରତୀୟ କଲରାପତରିଆ ବାଘ (ଇଂରାଜୀରେ Indian leopard ଓ ଜୀବବିଜ୍ଞାନ ନାମ Panthera pardus fusca) ଭାରତୀୟ ଉପମହାଦେଶରେ ଦେଖାଯାଉଥିବା କଲରାପତରିଆ ବାଘଙ୍କର ଏକ ଉପପ୍ରଜାତି । ପରିବାସ ନଷ୍ଟ, ବିଖଣ୍ଡନ, ଶିକାର, ମନୁଷ୍ୟଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାରୁ ହତ୍ୟା, ଅବୈଧ ବ୍ୟବସାୟ ବଢ଼ି ଦିନକୁ ଦିନ ସଂଖ୍ୟା ହ୍ରାସ ପାଉଥିବାରୁ IUCN ସଂରକ୍ଷଣ ତାଲିକାରେ କଲରାପତରିଆ ବାଘକୁ ସଙ୍କଟାଭିମୁଖୀ (Vulnerable) ପ୍ରଜାତିରେ ସ୍ଥାନିତ କରାଯାଇଛି ।
ଭାରତୀୟ ଉପମହାଦେଶର ବଡ଼ ବିଡ଼ାଳମାନଙ୍କ ମଧ୍ୟରେ ଏସୀୟ ସିଂହ, ମହାବଳ ବାଘ, ହିମ କଲରାପତ୍ରିଆ ବାଘ, ମେଘଛାପ ବାଘ ତଥା ଭାରତୀୟ କଲରାପତରିଆ ବାଘ ପ୍ରମୁଖ ।
୨୦୧୪ ମସିହାରେ ଜାତୀୟ ସ୍ତରରେ ଉତ୍ତର-ପୂର୍ବ ଭାରତକୁ ଛାଡ଼ି ଭାରତର ଅନ୍ୟ ସବୁ ବାଘଙ୍କ ପରିବାସରେ କେତେ କଲରାପତ୍ରିଆ ବାଘ ରହୁଛନ୍ତି ତାହାର ଏକ ଗଣନା କରାଯାଇଥିଲା । ସର୍ବେକ୍ଷଣ କରାଯାଇଥିବା ଅଞ୍ଚଳରେ ୭୯୧୦ ଓ ସମଗ୍ର ଭାରତରେ ୧୨୦୦୦ରୁ ୧୪୦୦୦ କଲରାପତରିଆ ବାଘ ରହିଥିବାର ଅନୁମାନ କରାଯାଇଥିଲା ।