ସିଂହଲାଙ୍ଗୁଡ଼ିଆ ମାଙ୍କଡ଼ (ଈଂରାଜୀରେ Lion-tailed Macaque, ଜୀବବିଜ୍ଞାନ ନାମ Macaca silenus) ଦକ୍ଷିଣ ଭାରତର ପଶ୍ଚିମଘାଟ ପର୍ବତମାଳାରେ ବସବାସ କରୁଥିବା ଏକ ଆଦି ବାନର । ମାଲାୟାଲମ୍ ଭାଷାରେ ଏହି ମାଙ୍କଡ଼କୁ സിംഹവാലൻ കുരങ്ങ് ବୋଲି କୁହାଯାଏ । ଲୋକେ ଏହି ମାଙ୍କଡ଼କୁ ୱାନ୍ଦେରୁ ବୋଲି ମଧ୍ୟ କୁହନ୍ତି ।
ସିଂହଲାଙ୍ଗୁଡ଼ିଆ ମାଙ୍କଡ଼ର ଦେହର ଲୋମ କଳା । ଏହି ମାଙ୍କଡ଼ର ମୁଣ୍ଡ ବା ମୁହଁ ଚାରିପଟେ ରୂପେଲି-ଧଳା ରଙ୍ଗର କେଶର ରହିଥାଏ । ଏହି କେଶର କାନ ଓ ଗାଲ ପାଖରୁ ନେଇ ଥୋଡ଼ି ପର୍ଯ୍ୟନ୍ତ ରହିଥାଏ । ମୁହଁ ଏପରି ଦିଶୁଥିବାରୁ ଯୋଗୁଁ ଏହି ମାଙ୍କଡ଼କୁ ଜର୍ମାନ୍ ଭାଷାରେ Bartaffe ବା ଦାଢ଼ିଆ ମାଙ୍କଡ଼ ବୋଲି ମଧ୍ୟ କୁହାଯାଏ । ଏହି ପ୍ରଜାତିର ମାଙ୍କଡ଼ମାନଙ୍କ ମୁହଁରେ ଲୋମ ନଥାଏ ଓ ମୁହଁର ରଙ୍ଗ ମଧ୍ୟ କଳା । ମୁଣ୍ଡରୁ ମାପିଲେ ଏହି ମାଙ୍କଡ଼ର ଶରୀରର ଉଚ୍ଚତା ପ୍ରାୟ ୪୨-୬୧ ସେଣ୍ଟିମିଟର୍ ଓ ଓଜନ ପ୍ରାୟ ୨-୧୦ କିଲୋଗ୍ରାମ୍ । ଏହି କାରଣରୁ ଏହା କ୍ଷୁଦ୍ର ବାନରମାନଙ୍କ ଶ୍ରେଣୀରେ ପରିଗଣିତ ହୋଇଥାଏ । ଲାଞ୍ଜଟି ମଧ୍ୟମ ଧରଣର ଓ ପ୍ରାୟ ୨୫ ସେଣ୍ଟିମିଟର୍ ଲମ୍ବା । ଲାଞ୍ଜର ଶେଷାଗ୍ର ସିଂହମାନଙ୍କ ଲାଞ୍ଜ ପରି ସାମାନ୍ୟ ଝଙ୍କାଳିଆ ବା ଅଧିକ ଲୋମବିଶିଷ୍ଟ । ଅଣ୍ଡିରା ମାଙ୍କଡ଼ମାନଙ୍କ ଲାଙ୍ଗୁଡ଼ରେ ମାଈ ମାଙ୍କଡ଼ମାନଙ୍କଠାରୁ ଅଧିକ ଘଞ୍ଚ ଲୋମ ରହିଥିବା ସ୍ପଷ୍ଟଭାବେ ପରିଲକ୍ଷିତ ହୋଇଥାଏ ।
ଏମାନଙ୍କ ଗର୍ଭଧାରଣ ସମୟ ପ୍ରାୟ ୬ ମାସ । ମାଈ ମାଙ୍କଡ଼ ଏକ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କର ଲାଳନ ପାଳନର ଦାୟିତ୍ତ୍ୱ ବହନ କରିଥାଏ । ଅଣ୍ଡିରା ମାଙ୍କଡ଼ମାନେ ପ୍ରାୟ ୬ ବର୍ଷରେ ଓ ମାଈ ମାଙ୍କଡ଼ମାନେ ପ୍ରାୟ ୪ ବର୍ଷରେ ଯୌନ ପରିପକ୍ୱତା ଲାଭ କରିଥାନ୍ତି । ବଣୁଆ ଓ ପାଳିତ ସିଂହଲାଙ୍ଗୁଡ଼ିଆ ମାଙ୍କଡ଼ମାନଙ୍କ ହାରାହାରି ଜୀବନକାଳ ଯଥାକ୍ରମେ ୨୦ ବର୍ଷ ଓ ୩୦ ବର୍ଷ ପର୍ଯ୍ୟନ୍ତ ହୋଇପାରେ । [୪]
ସିଂହଲାଙ୍ଗୁଡ଼ିଆ ମାଙ୍କଡ଼ମାନେ ସାଧାରଣତଃ ଦିବାଚର ଓ ବର୍ଷାରଣ୍ୟ ବସବାସୀ । ଅଧିକାଂଶ ମାଙ୍କଡ଼ଙ୍କ ପରି ଏମାନେ ଗଛ ଚଢ଼ିବାରେ ଦକ୍ଷ ଓ କ୍ରାନ୍ତୀୟ ଚିରହରିତ୍ ଅରଣ୍ୟରେ ଥିବା ଗଛମାନଙ୍କ ଉପର ଭାଗରେ ଏମାନଙ୍କ ଜୀବନକାଳର ଅଧିକାଂଶ ସମୟ କଟିଥାଏ । ଅନ୍ୟ ମାଙ୍କଡ଼ମାନଙ୍କଠାରୁ ବିପରୀତ ଏମାନେ ମନୁଷ୍ୟମାନଙ୍କଠାରୁ ଦୂରେଇ ରହିବା ପସନ୍ଦ କରନ୍ତି । ନିଜ ଦଳରେ ଥିବା ବେଳେ ଏମାନଙ୍କ ବ୍ୟବହାର ଠିକ୍ ଅନ୍ୟ ମାଙ୍କଡ଼ମାନଙ୍କ ପରି ହୋଇଥାଏ । ଗୋଟିଏ ଅନୁକ୍ରମିକ ଦଳରେ ପ୍ରାୟ ୧୦ରୁ ୨୦ଟି ଜୀବ ଥାଆନ୍ତି । ଦଳରେ ଅଳ୍ପ ସଂଖ୍ୟକ ଅଣ୍ଡିରା ଓ ବହୁ ସଂଖ୍ୟକ ମାଈ ମାଙ୍କଡ଼ ରହିଥାନ୍ତି । ମାଙ୍କଡ଼ ଦଳମାନେ ନିର୍ଦ୍ଧାରିତ କ୍ଷେତ୍ର ବା ଇଲାକାରେ ବିଚରଣ କରନ୍ତି । ଅନୁପ୍ରବେଶକାରୀ ମାଙ୍କଡ଼ ଦଳ ଦେଖିଲେ ଏମାନେ ବଡ଼ ପାଟିରେ ଶବ୍ଦ କରି ସେମାନଙ୍କୁ ହୁରୁଡ଼ାଇଦେବାକୁ ଚେଷ୍ଟା କରନ୍ତି । ଅନୁପ୍ରବେଶକାରୀ ଦଳ ଏପରି ବ୍ୟବହାରକୁ ଭ୍ରୁକ୍ଷେପ ନକଲେ ମାଙ୍କଡ଼ମାନଙ୍କ ମଧ୍ୟରେ ଆକ୍ରାମକ ଶାରୀରିକ ସଂଘର୍ଷ ହୋଇଥାଏ ।
ସିଂହଲାଙ୍ଗୁଡ଼ିଆ ମାଙ୍କଡ଼ମାନେ ବୃକ୍ଷଜୀବୀ, ଗଛର ଫଳ ଇତ୍ୟାଦି ଖାଆନ୍ତି ତଥା ନିଜର ଅଧିକାଂଶ ସମୟ ଖାଦ୍ୟ ଅନ୍ୱେଷଣରେ ଅତିବାହିତ କରନ୍ତି । [୫] ସ୍ଥାନୀୟ ଫଳ, ପତ୍ର, କଢ଼, ଛୋଟ କୀଟ ଓ କ୍ଷୁଦ୍ର ମେରୁଦଣ୍ଡୀ ପ୍ରାଣୀ ଇତ୍ୟାଦିଙ୍କୁ ଖାଇଥାନ୍ତି । ପାଣିପାଗରେ ପରିବର୍ତ୍ତନ ଦେଖାଦେଲେ ଏମାନେ ନିଜର ଖାଦ୍ୟପେୟ, ବାସସ୍ଥାନ ବଦଳାଇ ପରିବେଶ ସହିତ ନିଜକୁ ଖାପଖୁଆଇ ରହିପାରନ୍ତି । ଆବଶ୍ୟକତା ପଡ଼ିଲେ ଏମାନେ ମଞ୍ଜି, କରଡ଼ି, ଫୁଲ ତଥା ଅଜଣା ଗଛର ଫଳ ଇତ୍ୟାଦି ଖାଇ ରହିପାରନ୍ତି । [୫] କେରଳରେ ସିଂହଲାଙ୍ଗୁଡ଼ିଆ ମାଙ୍କଡ଼ ପକ୍ଷୀ ଶାବକ, ପାରା ଅଣ୍ଡା ଇତ୍ୟାଦି ଖାଇବା ମଧ୍ୟ ଦେଖାଯାଇଛି । [୬]
ଅନ୍ତର୍ଜାତିକ ପ୍ରକୃତି ସଂରକ୍ଷଣ ସଂଘ (IUCN)ର ସର୍ବେକ୍ଷଣରୁ ଜଣାପଡ଼ିଛି ଯେ କେରଳ ଓ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ପ୍ରାୟ ୩୦୦୦-୩୫୦୦ ସିଂହଲାଙ୍ଗୁଡ଼ିଆ ମାଙ୍କଡ଼ ରହିଛନ୍ତି । [୭] ଆଦି ବାନରମାନଙ୍କ ପ୍ରଜାତିମାନଙ୍କ ମଧ୍ୟରେ ଏମାନେ ଅତି ବିରଳ ଓ ବିଲୋପମୁଖୀ ପ୍ରଜାତି । କ୍ରମଶଃ ବୃଦ୍ଧି ପାଉଥିବା ଚା, କଫି, ଶାଗୁଆନ୍, କୁଇନାଇନ୍ ଚାଷ, ଜଳ ସେଚନ ଓ ବିଦ୍ୟୁତ୍ ଉତ୍ପାଦନ ପାଇଁ କରାଯାଉଥିବା ନଦୀବନ୍ଧ ପ୍ରକଳ୍ପ, ଜଙ୍ଗଲ ଭିତରକୁ ପ୍ରବେଶ କରୁଥିବା ମନୁଷ୍ୟଙ୍କ ବସବାସ ସ୍ଥାନ ଯୋଗୁଁ ଏହି ମାଙ୍କଡ଼ମାନଙ୍କ ଅଧିବାସ ଦିନକୁ ଦିନ କ୍ଷୀଣ ହୋଇଆସିଲାଣି । ଏମାନେ ଚା ଓ କଫି ବଗିଚାରେ ନିଜର ଖାଦ୍ୟ ଖୋଜନ୍ତି ନାହିଁ କିମ୍ବା ବଗିଚା ମଧ୍ୟଦେଇ ଯାତାୟତ କରନ୍ତି ନାହିଁ । ଅଧିବାସ କ୍ଷୟ ଓ ମନୁଷ୍ୟମାନଙ୍କଠାରୁ ଦୂରେଇ ରହିବା ପ୍ରବୃତ୍ତି ହେତୁ ଏମାନଙ୍କ ସଂଖ୍ୟା ଦ୍ରୁତମାତ୍ରାରେ ହ୍ରାସ ପାଉଛି ।
୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ “ସେଭ୍ ସାଇଲେଣ୍ଟ୍ ଭ୍ୟାଲି” (Save Silent Valley) ନାମକ ପରିବେଶ ଆନ୍ଦୋଳନ ସିଂହଲାଙ୍ଗୁଡ଼ିଆ ମାଙ୍କଡ଼ମାନଙ୍କ ସଂକଟାପନ୍ନ ସ୍ଥିତି ଉପରେ ନିଜର ଧ୍ୟାନ କେନ୍ଦ୍ରୀଭୂତ କରିଥିଲା । ୧୯୯୩ରୁ ୧୯୯୬ ପର୍ଯ୍ୟନ୍ତ କେରଳର ସାଇଲେଣ୍ଟ୍ ଭ୍ୟାଲି ଜାତୀୟ ଉଦ୍ୟାନରେ ୧୪ଟି ମାଙ୍କଡ଼ଦଳ ରହିଥିଲେ ଓ ଏହା ଏମାନଙ୍କ ପାଇଁ ସବୁଠାରୁ ନିରାପଦ ଅଧିବାସ ବୋଲି ଆଶା କରାଯାଉଥିଲା । [୮] କର୍ଣ୍ଣାଟକର ସିର୍ସି-ହୋନ୍ନାୱାରାରେ ୩୨ଟି ସିଂହଲାଙ୍ଗୁଡ଼ିଆ ମାଙ୍କଡ଼ଦଳ ଦେଖାଯାଇଥିଲା ଓ ଭାରତରେ ଏହି ଅଞ୍ଚଳ ସେମାନଙ୍କ ଉତ୍ତରତମ ଅଧିବାସ ବୋଲି କୁହାଯାଇପାରିବ । [୯] ୨୦୦୭ ମସିହାରେ ତାମିଲନାଡ଼ୁର ଥେନି ଜିଲ୍ଲାରେ କରାଯାଇଥିବା ଏକ ସ୍ଥାନୀୟ ଗଣନା ଅନୁଯାୟୀ ସେଠାରେ ପ୍ରାୟ ୨୫୦ଟି ମାଙ୍କଡ଼ ରହିଥିବା ଜଣାପଡ଼ିଥିଲା । ପୂର୍ବରୁ ଏହି ଅଞ୍ଚଳରେ କୌଣସି ସିଂହଲାଙ୍ଗୁଡ଼ିଆ ମାଙ୍କଡ଼ ନଥିବାରୁ ଏହି ଗଣନା ପ୍ରକୃତିପ୍ରେମୀଙ୍କୁ ଖୁବ୍ ଉତ୍ସାହିତ କରିଥଲା । [୧୦] ତାମିଲ୍ନାଡ଼ୁର ତିରୁନେଲ୍ଭେଲି ଜିଲ୍ଲାସ୍ଥିତ କଲକ୍କଡ୍ ମୁଦନ୍ତୁରାଇ ବ୍ୟାଘ୍ର ଅଭୟାରଣ୍ୟର ପାପନାଶମ୍ ନିକଟରେ ମଧ୍ୟ ଏହି ପ୍ରଜାତିର ମାଙ୍କଡ଼ ବହୁ ସଂଖ୍ୟାରେ ବିଚରଣ କରୁଥିବା ଦେଖାଯାଇଛି । ଏହି ପ୍ରଜାତିର ଜୀବଙ୍କ ସଂରକ୍ଷଣ ପାଇଁ ଅନେକ ଚିଡ଼ିଆଖାନାରେ ଏମାନଙ୍କୁ ରଖି ପ୍ରଜନନ କରାଯାଏ । ବିଭିନ୍ନ ଚିଡ଼ିଆଖାନାରେ ଏହି ପ୍ରଜାତିର ପ୍ରାୟ ୩୩୮ଟି ମାଙ୍କଡ଼ ରହିଛନ୍ତି । [୪]
ଦକ୍ଷିଣ ଭାରତୀୟ ରାଜ୍ୟ ସରକାରମାନଙ୍କ ଏପରି ପ୍ରଚେଷ୍ଟା ଯୋଗୁଁ ବିଶ୍ୱର ସବୁଠାରୁ ସଂକଟାପନ୍ନ ୨୫ ଆଦି ବାନରମାନଙ୍କ ପ୍ରଜାତିରେ ଏହାକୁ ଆଉ ପରିଗଣିତ କରାଯାଉନାହିଁ ।
|url=
value (help).